ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ସାଂସଦ ମୁନା ଖାନ୍‌

ଯାହାର ଯିବାର ଅଛି ବିଜେପିକୁ ପଳାନ୍ତୁ: ମୁନା ଖାନ୍‌

ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ସାଂସଦ ମୁନା ଖାନ୍‌ । ଦଳରେ ଦୋମୁହାଁ ନୀତି ଚଳିବ ନାହିଁ ବୋଲି କହିଲେ। ଯାହାର ଯିବାର ଅଛି ବିଜେପିକୁ ପଳାନ୍ତୁ, ଦୋମୁହାଁ ନୀତି ଚଳିବନି । ମୁଁ ସିଧା ଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇଛି। ସଂସଦୀୟ ବୋର୍ଡ ବୈଠକରେ ବିଲ୍‌କୁ ବିରୋଧ ନିଷ୍ପତ୍ତି ହୋଇଥିଲା। ବିଲ୍‌ ବିରୋଧରେ ଭୋଟ୍‌ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ । ସଂସଦୀୟ ଗଣତନ୍ତ୍ରରେ ସମର୍ଥନ କିମ୍ବା ବିରୋଧ କରାଯାଏ ନହେଲେ କକ୍ଷତ୍ୟାଗ ଭଳି ନିଷ୍ପତ୍ତି ନିଆଯାଏ । ଆମ ସଂସଦୀୟଦଳ ନେତା ସସ୍ମିତ ବାବୁ ବିବେକ ଅନୁସାରେ ଭୋଟ୍ ଦେବାକୁ କହିବା ସଂସଦ ଇତିହାସରେ ବିରଳ ଘଟଣା । ଯାହାର ବିବେକ କିମ୍ବା ଆତ୍ମା ବିଜେପିକୁ ସମର୍ଥନ କରିବାକୁ କହୁଛି ସେ ବିଜେପିକୁ ଚାଲିଯାଉନାହାନ୍ତି କାହିଁକି? ବିଜେଡିରେ ଦୋମୁହାଁ ନୀତି ରଖିଥିବା ଲୋକଙ୍କର ଜାଗା ନାହିଁ ବୋଲି ପରୋକ୍ଷରେ ସସ୍ମିତଙ୍କୁ କହିଛନ୍ତି ମୁନା ।ବିଜୁ ବାବୁଙ୍କ ନାଁରେ ତିଆରି ହୋଇଥିବା ବିଜେଡି ହେଉଛି ଧର୍ମ ନିରପେକ୍ଷ ଦଳ । ନବୀନ ବାବୁ ହେଉଛନ୍ତି ଧର୍ମ ନିରପେକ୍ଷ ନେତା । ପାର୍ଲାମେଣ୍ଟ ଆରମ୍ଭ ପୂର୍ବରୁ ନବୀନ ନିବାସରେ ସଂସଦୀୟଦଳ ବୈଠକ ବସିଥିଲା ଏବଂ ୱାକଫ୍ ବିଲକୁ ବିରୋଧ କରିବ ବିଜେଡି ବୋଲି ସବୁ ରାଜ୍ୟସଭା ସଦସ୍ୟଙ୍କୁ ସୁପ୍ରିମୋ କହିଥିଲେ । ଏପରିକି ବିଲ୍ ବିରୋଧରେ ଭୁବନେଶ୍ୱରରେ ଏକ ରାଲି କରିବାକୁ ଆମ ନେତା ମୋତେ ଅନୁମତି ଦେଇଥିଲେ । ଯେତେବେଳେ ରାଜ୍ୟସଭାରେ ବିଲ୍ ଆସିଲା ମୁଁ ବିରୋଧ କଲି । କିନ୍ତୁ ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଟ୍ୱିଟ୍ କଲେ ଯେ, ବିବେକ ଅନୁସାରେ ଭୋଟ୍ ଦିଅନ୍ତୁ । ଏହାକୁ ମୁଁ ଦୃଢ଼ ଭାବେ ଖଣ୍ଡନ କରୁଛି  ।