ବିଜେପିରେ ଯୋଗଦେଲେ ଭର୍ତ୍ତୃହରି-ସିଦ୍ଧାନ୍ତ

ବିଜେପିରେ ଯୋଗଦେଲେ ଭର୍ତ୍ତୃହରି-ସିଦ୍ଧାନ୍ତ

ପଦ୍ମ ଧରିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ରହିଥିଲେ। ବିଜେପିରେ ଯୋଗ ଦେବା ପରେ ଭର୍ତ୍ତୁହରି କହିଛନ୍ତି, ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ। ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ। ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ବାସ, ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ। ଏକ ନୂଆ ଟିମ୍‌ ସହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛି। ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି, ଆସିଲେ ଦେଖିପାରିବେ’। ତେବେ ଭର୍ତ୍ତୁହରିଙ୍କ ବ୍ୟତିତ ଅଭିନେତା ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବିଜେପିରେ ଯୋଗ ଦେଲେ। ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ତିନିଜଣ ଯାକ ପଦ୍ମ ଧରିଛନ୍ତି। ବିଜେଡିରୁ ୨ ଥର ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବିଜେପିରେ ଯୋଗ ଦେଇଛନ୍ତି। ଗତ ୨୨ ତାରିଖରେ ଭର୍ତ୍ତୁହରି ବିଜେଡିରୁ ଇସ୍ତଫା ଦେଇଥିଲେ। ଭର୍ତ୍ତୃହରି ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ଭର୍ତ୍ତୁହରି ଲଗାତାର କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି। ୨୦୧୭ରେ ସେ ଆଉଟଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ ଆୱାର୍ଡ ପାଇଥିବା ବେଳେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ସଂସଦ ରତ୍ନ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି। ସେହିପରି ବିଜେଡି ଟିକେଟରେ ବ୍ରହ୍ମପୁରରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର। ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇନଥିଲା। ତେବେ ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସିଦ୍ଧାନ୍ତ ପଦ୍ମ ଧରିଛନ୍ତି। ସେହିପରି ମୟୂରଭଂଜ ଜିଲ୍ଲାର ଆଦିବାସୀ ଚେହେରା ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବି ପଦ୍ମ ଧରିଲେ।