ପଦ୍ମ ଧରିଲେ ଅନୁଭବ

ବିଜେପିରେ ମିଶିଲେ ସାଂସଦ ଅନୁଭବ ମହାନ୍ତି

ବିଜେପିରେ ମିଶିଲେ ଅନୁଭବ ମହାନ୍ତି । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଲେ ଅନୁଭବ । ଗତ ଶନିବାର ବିଜେଡିରୁ ଇସ୍ତଫା ଦେଇଥିଲେ ସାଂସଦ ଅନୁଭବ ମହାନ୍ତି । ବିଜେପିରେ ଯୋଗ ଦେଇ ସେ, ‘କହିଛନ୍ତି ମୋଦୀଙ୍କ ନେତୃତ୍ୱରେ ପ୍ରଭାବିତ ହୋଇଥିଲି । ବହୁତ ଐତିହାସିକ ବିଲ୍ ପାସ ହେବାର ଦେଖିଥିଲି, ସେହି ମୁହୂର୍ତ୍ତରେ ଗର୍ବ ଅନୁଭବ କରିଥିଲି । ଭଲ କାମ କଲେ ଭଲ ଫଳ ଭଗବାନ ଦେବେ । ନବୀନ ପଟ୍ଟନାୟକଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ଅନୁଭବ । ନବୀନଙ୍କ ନେତୃତ୍ୱରେ କାମ କରି ମଧ୍ୟ ଗର୍ବିତ’ । ସୂଚନା ଅନୁସାରେ, ‘୨୭ ଏପ୍ରିଲ ୨୦୧୩ରେ ବିଜେଡିରେ ସାମିଲ ହୋଇଥିଲେ ଅନୁଭବ । ୨୦୧୪ର ବିଜେଡି ଟିକେଟରେ ରାଜ୍ୟସଭା ସାଂସଦ ହୋଇଥିଲେ । ସର୍ବକନିଷ୍ଠ ରାଜ୍ୟସଭା ସାଂସଦ ଥିଲେ ଅନୁଭବ ମହାନ୍ତି । ୨୦୧୪ରୁ ୨୦୧୯ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ତୁଲାଇଥିଲେ ଅନୁଭବ । ତେବେ ୨୦୧୯ରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ମଇଦାନକୁ ଅନୁଭବଙ୍କୁ ଓହ୍ଲାଇଥିଲା ବିଜେଡି । ବିଜେପିର ହେଭିୱେଟ ନେତା ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ଅନୁଭବଙ୍କୁ ପ୍ରାର୍ଥୀ କରିଥିଲା ଦଳ । ହେଭିୱେଟ ବୈଜୟନ୍ତଙ୍କୁ ପରାସ୍ତ କରି କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । କିନ୍ତୁ ଅନୁଭବଙ୍କ ଘରୋଇ କଳି ସାମ୍ନାକୁ ଆସିବା ପରେ ବିଜେଡି ସମୟକ୍ରମେ ଅନୁଭବଙ୍କ ଠାରୁ ଦୂରେଇବା ଆରମ୍ଭ କରିଥିଲା । କୌଣସି ସଭାସମିତିରେ ଅନୁଭବଙ୍କୁ ସାମିଲ କରାଯାଉନଥିଲା ଏବଂ ଦଳୀୟ କାର୍ୟ୍ୟକ୍ରମରେ ଅନୁଭବଙ୍କୁ ଦୂରେଇ ରଖାଯାଉଥିଲା । ଦୀର୍ଘବର୍ଷ କୋଣଠେସା ହୋଇ ରହିବା ପରେ ବିଜେଡିରୁ ଇସ୍ତଫା ଦେଇଥିଲେ ।