ଆଦାନୀ ଓ ଜେଏସଡବଲ୍ୟୁ ସହ MOU
ଆଦାନୀ ଓ ଜେଏସଡବଲ୍ୟୁ ସହ MOU । ୧୮ହଜାର କୋଟିରୁ ଅଧିକ ଟଙ୍କାର ହେବ ନିବେଶ । ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ । ଜଟାଧାର ମୁହାଣଠାରେ ଏକ କ୍ୟାପ୍ଟିଭ୍ ଜେଟି ନିର୍ମାଣ ପାଇଁ ଜେ.ଏସ୍.ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ସହିତ ରାଜ୍ୟ ସରକାରଙ୍କ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ୫୨ ମିଲିଅନ ମେଟ୍ରିକ ଟନ୍ ପଣ୍ୟ ପରିବହନ କ୍ଷମତା ବିଶିଷ୍ଟ ଏହି ଜେଟି ସ୍ଥାପନ ନିମନ୍ତେ ପ୍ରାଥମିକ ସ୍ତରରେ ୨ ହଜାର ୧୦୦ କୋଟି ଟଙ୍କା ନିବେଶ କରାଯିବ ।ସେହିଭଳି ୧୬ ହଜାର ୫୫୪ କୋଟି ଟଙ୍କା ନିବେଶରେ ଗୋପାଳପୁର ବନ୍ଦରର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ଗୋପାଳପୁର ପୋର୍ଟ୍ସ ଲିମିଟେଡ୍ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।
ଏହି ଉନ୍ନତିକରଣ କାର୍ଯ୍ୟ ପରେ ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ ଟନ ହେବ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।ଏହି ଦୁଇ ପ୍ରକଳ୍ପରେ ୮ହଜାର ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି । ଲୋକସେବା ଭବନଠାରେ ଆୟୋଜିତ ଏମଓୟୁ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ରାଜ୍ୟରେ ସାମୁଦ୍ରିକ ବାଣିଜ୍ୟର ବିକାଶ ପାଇଁ ବିଭିନ୍ନ ଘରୋଇ କମ୍ପାନୀ ସହିତ ସହଭାଗୀତା ଭିତ୍ତିରେ କାର୍ଯ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଛି । ଆଗାମୀ ଦିନରେ ଇଞ୍ଚୁଡି ଓ ବାହୁଡାଠାରେ ଦୁଇଟି ନୂଆ ବନ୍ଦର ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଛି । ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରର ବିକାଶ ପାଇଁ ମଧ୍ୟ ଯୋଜନା ରହିଛି ।
