ମା’…. ଏ ଶବ୍ଦରେ ଯେତେ ମହାନତା ଅଛି ସେତେ ମଧୁରତା ଅଛି । ନିଜ ଛୁଆ ପାଇଁ ମାଆର ସ୍ନେହ ମମତାକୁ ତୁଳନା କରାଯାଇପାରେ ନାହିଁ। ହେଲ ଆଜି ଏହି ମାଆ ସାଜିଛି ରାକ୍ଷସୀ କେଇଟା ଟଙ୍କା ପାଇଁ ପର ହାତକୁ ଟେକି ଦେଲା ନିଜ ଜନ୍ମକଲା ପୁଅକୁ । ମରିଯାଇଛି ମା’ର ମମତା। ମାତ୍ର ୧୦ହଜାର ଟଙ୍କା ପାଇଁ ଜନ୍ମର କିଛି ବର୍ଷ ପରେ କଅଁଳ ଛୁଆଟିକୁ ବିକ୍ରି କରିଦେଲା ମା’। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ।
ସୂଚନା ଅନୁସାରେ ଟିଟିଲାଗଡ଼ ସହର ପଦ୍ମନାଭପୁରରେ ରହୁଥିବା ଅକ୍ଷୟ ପଟେଲ ଗତ କିଛି ବର୍ଷ ପୂର୍ବରୁ ମାନସୀ ବାଗଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ଅଢ଼େଇ ବର୍ଷର ଶିଶୁ ପୁତ୍ର ଥିଲା। କୌଣସି କାରଣ ପାଇଁ ମାନସୀ ଓ ଅକ୍ଷୟ ଉଭୟ ଅଲଗା ହୋଇଯାଇଥିଲେ। ମାନସୀ ନିଜ ବାପ ଘରେ ରହୁଥିବା ବେଳେ ଅକ୍ଷୟ ପୁଅକୁ ନେଇ ନିଜ ଘରେ ରହୁଥିଲେ। ଶିଶୁ ପୁତ୍ରଟି ନିଜ ବାପା ପାଖରେ ରହି ଆସୁଥିଲା। ଅକ୍ଷୟଙ୍କ ଭଉଣୀ ଛୁଆଟିର ଯତ୍ନ ନେଉଥିଲେ। ୪ରୁ ୫ଦିନ ତଳେ ହଠାତ୍ ଗୋଟେ ଦିନ ମାନସୀ ଅକ୍ଷୟଙ୍କ ପାଖକୁ ଆସି ନିଜ ଛୁଆକୁ ବୁଲାଇ ଆଣିବେ କହି ନେଇଯାଇଥିଲେ। ପରେ ଆଉ ଛୁଆକୁ ନେଇ ଅକ୍ଷୟଙ୍କ ଘରକୁ ମାନସୀ ଫେରିନଥିଲେ। ଅକ୍ଷୟ ମାନସୀଙ୍କୁ ପୁଅ ବିଷୟରେ ପଚାରିବାରୁ ସେ ମଧ୍ୟ କିଛି କହିନଥିଲେ। ପୁଅକୁ ମାନସୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର କପିଲ ବାଗଙ୍କୁ ୧୦୦୦୦ ଟଙ୍କାରେ ବିକ୍ରି କରିଦେଇଥିବା ଅକ୍ଷୟ ଖବର ପାଇଥିଲେ।
ଏନେଇ ଅକ୍ଷୟ ଓ ତାଙ୍କ ସମ୍ପର୍କୀୟ ଗତକାଲି ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଟିଟିଲାଗଡ଼ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମାନସୀ ନିଜ ପୁଅକୁ ବିକ୍ରି କରଦେଇଥିବା ସ୍ୱୀକାର କରିଛନ୍ତି। ତେବେ ଟଙ୍କା ପାଇଁ ଯେ ମା’ ଏମିତି ହୋଇ ପରେ ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି ।