ମାଆ ସାଜିଲା ରାକ୍ଷସୀ ନେଲା ଝିଅର ଜୀବନ !

୫ଦିନର ଶିଶୁକନ୍ୟାକୁ ମାରିଦେଲା ମାଆ !

ଗୋଟେ ପୁଅ କୁପୂତ୍ରର ଆଖ୍ୟା ପାଇପାରେ ମାତ୍ର ଜଣେ ମା’ କେବେ କୁମାତା ହୋଇପାରେନା । ହେଲେ ଏବ ଯେଉଁ ଘଟଣା ଆପଣଙ୍କୁ କହିବାକୁ ଯାଉଛୁ ତାହା ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ମାଆ ସାଜିଲା ରାକ୍ଷସୀ ନେଇଗଲା ୫ଦିନର ଝିଅର ଜୀବନ । ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଟମକା ଥାନା ଚମ୍ପାଝର ପାର୍କ ନିକଟ ବସ୍ତିରେ । ଜଣେ ମହିଳା ନିଜର ୫ଦିନର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ,ଚମ୍ପାଝର ପାର୍କ ନିକଟ ବସ୍ତିରେ ରୁହନ୍ତି ରବୀନ୍ଦ୍ର ମହାନ୍ତ।

ଗତ ୪ତାରିଖ ଦିନ ରବୀନ୍ଦ୍ରଙ୍କ ସ୍ତ୍ରୀ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପୂର୍ବରୁ ଗୋଟିଏ ଝିଅ ଥିଲା। ୯ ତାରିଖରେ ରବିନ୍ଦ୍ରଙ୍କ ସ୍ତ୍ରୀ ଶିଶୁକନ୍ୟାର ନାକ ଚିପି ହତ୍ୟା କରିଥିଲେ। ପରେ ଶିଶୁକନ୍ୟାଟିକୁ ଘରେ ଶୁଆଇ ଦେଇଥିଲେ। ଶିଶୁକନ୍ୟାଟି ନ ଖାଇବାରୁ, ନ କାନ୍ଦିବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ତା’ ଦେହ ଭଲ ନଥିବା ଭାବି ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଡାକ୍ତର ଶିଶୁକନ୍ୟାଟିକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସତ ସାମ୍ନାକୁ ଆସିଥିଲା । ପୁଲିସ ଗତକାଲି ତାଙ୍କୁ ଗିରଫ କରିଥିବା ବେଳେ ଘଟଣାଟି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।