କାମାକ୍ଷାନଗର ଏନ୍‌ଏସିରେ ଝାଡ଼ାବାନ୍ତି ଭୟ

ପାଇପ୍ ପାଣି ପିଇ ପୁରୁଣା ରେକୁଳା ଗାଁରେ ଝାଡ଼ାବାନ୍ତି !

ଢେଙ୍କାନାଳ କାମାକ୍ଷାନଗର ଏନ୍‌ଏସି ପୁରୁଣା ରେକୁଳା ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି । ଏଥିରେ ୨୫ରୁ ଅଧିକ ଆକ୍ରାନ୍ତ ହୋଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦ୍ବିପ୍ରହରରେ ଗାଁର ଜଣଙ୍କ ପରେ ଜଣେ ବ୍ୟକ୍ତି ଝାଡ଼ା ଓ ବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଗାଁକୁ ଯୋଗାଣ ହେଉଥିବା ପାଇପ୍‌ ପାଣି ପାଇଁ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତକାଲି ଗାଁର ଏକ ଭୋଜି ଖାଇଥିବା କିଛି ଲୋକ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଖବରପାଇ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିଥିଲେ। ସେ କହିଥିଲେ ଯେ ଦୂଷିତ ପାଣି ଓ ଫୁଡ୍ ପଏଜନ୍ ଏହାର କାରଣ ହୋଇପାରେ ବୋଲି ଡାକ୍ତର ଦଳ କହିଛନ୍ତି। ଏ ନେଇ ସେ ଜଳ ଯୋଗାଣ ବିଭାଗ ସହିତ ଆଲୋଚନା କରିଥିବା କହିଛନ୍ତି। ଡାକ୍ତରଖାନା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦିଗାମ୍ବର ସାହୁ ମଧ୍ୟ ତୁରନ୍ତ ପଦକ୍ଷେପ ନେଇ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ଚିକିତ୍ସା କରାଇଥିଲେ। ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିରଥିବା ସେ କହିଛନ୍ତି।