୪ରୁ ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ
କେରଳ ମୁହାଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଉ ୪ରୁ ୫ ଦିନ ଭିତରେ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି । ବର୍ତ୍ତମାନ ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେରଳ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ତ୍ରିସୁର, ମାଲାପୁରମ, କୋଜିକୋଡ୍, ୱାଇନାଡ୍, କନୁର ଓ କାସାରାଗୋଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସାଧାରଣତଃ ମୌସୁମୀ ବାୟୁ ଜୁନ ୧ରେ କେରଳ ଛୁଇଁଥାଏ । ଏଥର ଆଗୁଆ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି। ତେବେ ମୌସୁମୀ କେରଳ ଛୁଇଁବାର ୧୦ ଦିନ ଭିତରେ ଓଡ଼ିଶା ଛୁଇଁଥାଏ । ଯଦି ଆଗୁଆ କେରଳ ଛୁଇଁବ ତେବେ ଓଡ଼ିଶାରେ ବି ଆଗୁଆ ମୌସୁମୀ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ମୌସୁମୀ କେବେ ଓଡ଼ିଶା ଛୁଇଁବ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
