ମୌସୁମୀ ଆସିଛି, ଗରମ କମିନି !

ରାଜ୍ୟ ପାଣିପାଗରେ ବଡ ପରିବର୍ତ୍ତନ, ମୌସୁମୀ ଆସିଛି କିନ୍ତୁ ଗରମ କମିନି। ସମସ୍ତଙ୍କ ଆଶା ଥିଲା ମୌସୁମୀ ଆସିବ ଗ୍ରୀଷ୍ମ ଦାଉରୁ ରକ୍ଷା କରିବ । ମୌସୁମୀ ଆସିଲା କିନ୍ତୁ ଏଯାଏଁ ତାତି କମିନି। ବର୍ଷା ଯେତିକି ହେଉଛି ଗୁଳୁଗୁଳି ସେତିକି ଅସ୍ତବ୍ୟସ୍ତ କରୁଛି । ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କିନ୍ତୁ ରାଜ୍ୟରେ ଦେଖାଦେଇଛି ନିଅଣ୍ଟିଆ ବର୍ଷା ।

ବର୍ତ୍ତମାନ ସୁଦ୍ଧା ୩ଟି ଲଘୁଚାପ ସୃଷ୍ଟି ହେବା କଥା । ମାତ୍ର ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି । ଯେଉଁ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି ତାହା ଓଡ଼ିଶାଠାରୁ ଦୂରକୁ ଚାଲିଯାଉଥିବାରୁ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ତେବେ କୁହାଯାଉଛି ୧୫ ତାରିଖ ପରେ ବର୍ଷାର ପରିମାଣ ବଢିପାରେ କିନ୍ତୁ ଏହା ନିଅଣ୍ଟକୁ ଭରଣା କରିବାର ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ଦୁଇଦିନରେ ୬ ପ୍ରତିଶତ ନିଅଣ୍ଟ ଭରଣା ହୋଇଛି । କିନ୍ତୁ ଏ ବର୍ଷା ସମୁଦ୍ରକୁ ଶଙ୍ଖେ ସଦୃଶ। ଯାହା ରାଜ୍ୟରେ ଆବଶ୍ୟକୀୟ ବୃଷ୍ଟିପାତକୁ ଭରଣା କରିବା ସମ୍ଭବ ପର ନୁହେଁ। ଗୋଟେ ପଟେ ବର୍ଷାର ପରିମାଣ କମ ଅନ୍ୟପଟେ ଅସହ୍ୟ ଗୁଳୁଗୁଳି ଯାହା ଜୀବନ ଜୀବିକା ସବୁ ଠପ କରିଛି। ତେବେ କେବେ ଏହି ଗୁଳୁଗୁଳିରୁ ମୁକ୍ତି ମିଳିବ ତାକୁ ହିଁ ଅପେକ୍ଷା।