ଦିଲ୍ଲୀରେ ମୋହନ-ନବୀନ, ହେବ କି ବଡ଼ ଡିଲ୍!
ନବୀନଙ୍କ ପରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁଇ ଦିନିଆ ଗସ୍ତରେ ଅଛନ୍ତି ସିଏମ। ଏହାପୂର୍ବରୁ ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଥିଲେ। ଚର୍ଚ୍ଚା ହେଉଥିଲା କି, ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛନ୍ତି। ଆସନ୍ତା ୨୨ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଡିଲିମିଟେସନ ବୈଠକରେ ସେ ଯୋଗ ଦେବାକୁ ଯାଉଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। କିନ୍ତୁ ଏହା ପୂର୍ବରୁ ନବୀନଙ୍କ ଦିଲ୍ଲୀ ଗସ୍ତ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଷ୍ଟାଲିନଙ୍କ ବୈଠକରେ ଯୋଗଦେବାକୁ ହଁ ମାରିବା ଓ ବିଧାନସଭାରେ କଂଗ୍ରେସକୁ ସମର୍ଥନ କରିବା, କେଉଁଠି ନା କେଉଁଠି ଭିନ୍ନ ସନ୍ଦେଶ ଦେଉଛି। ଚର୍ଚ୍ଚା ହେଉଛି, ନୂଆ ସମୀକରଣ ଆଡକୁ ମୁହାଁଉଛନ୍ତି କି ବିଜେଡି? ଅନ୍ୟପଟେ ଏହି ଚର୍ଚ୍ଚା ଚାଲିଥିବାବେଳେ ଏପଟେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀରେ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ରହିଥିବାର କହି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିବା ଜଣାପଡିଛି। ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। DMK ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଡିଲିମିଟେସନ ବୈଠକକୁ ବିଜେଡିର ସମର୍ଥନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେଡିକୁ ସମାଲୋଚନା କରି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,ଦର୍ପଣରେ ନିଜ ଛାଇ ଦେଖି ବିଜେଡିକୁ ଡର ଲାଗିଲାଣି। ଡିଲିମିଟେସନ ଯେଉଁ ନ୍ୟାୟିକ ପରିଧି ଭିତରେ ହେବା କଥା ହେବ। କିନ୍ତୁ ଡିଲିମିଟେସନ ହେବା ପୂର୍ବରୁ ବିରୋଧୀ ଏତେ ଛାନିଆ କାହିଁକି ହୋଇଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି? ଏପଟେ ବିଜେଡିର ବରିଷ୍ଠ ନେତା ତଥା ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି ଯେ ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ବି ସମଦୂରତା ବଜାୟ ରଖିଛି ବିଜେଡି।
