ବ୍ରହ୍ମପୁର ରାସ୍ତାରେ ହାଇଡ୍ରାମା, ବିଧାୟକଙ୍କୁ ବିରୋଧ

ପ୍ରଦୀପଙ୍କ ଗସ୍ତ ପାଇଁ ବଦଳିଲା କି 5-T ସଚିବଙ୍କ ଗସ୍ତସୂଚୀ

ବ୍ରହ୍ମପୁର ରାସ୍ତାରେ ହାଇଡ୍ରାମା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ ଅଟକାଇ ଆକ୍ରମଣ ପାଇଁ ଉଦ୍ୟମ । ସ୍ଥାନୀୟ ଯୁବ ବିଜେଡି ନେତାମାନେ ଏଭଳି କାଣ୍ଡ କରିଥିବା ଦେଖିବାକୁ ମିଳିଛି । ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଛି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୁଲିସ ଉପ ସ୍ଥିତିରେ ଉଭୟ ପକ୍ଷ ପିଟାପିଟି ହୋଇଛନ୍ତି । ଖାଲି ସେତିକି ନୁହେଁ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ ଉପରକୁ ଅଣ୍ଡାମାଡ଼ କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଆୟତ୍ତ କରିଛି । ଆଜି ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକଙ୍କୁ ବେଗୁନିଆପଡ଼ା ବ୍ଲକ ଛକରୁ ଉଠେଇନେଇଥିଲା ପୁଲିସ। ଠିକ୍ ସେହିପରି ୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଯାଇଥିବା ଗଞ୍ଜାମ ଜିଲ୍ଲା ବିଜେପି ଉପସଭାପତି ରାମ ପାତ୍ରଙ୍କୁ ଅଟକ ରଖିଲା ପୁଲିସ।  ତେଣେ ୫ଟି ସଚିବଙ୍କ ଗଞ୍ଜାମ ବେଗୁନିଆପଡ଼ା ଗସ୍ତସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସେ ୪ଟା ୧୫ ବଦଳରେ ୨ଟା ୧୫ ମିନିଟ ସମୟରେ ରଙ୍ଗେଇଲୁଣ୍ଡା ଯିବେ ବୋଲି ଜଣାଯାଇଛି। ପ୍ରଦୀପ ପାଣିଗ୍ରାହୀ ଯୋଗ ଦେବା ଜଣାଯିବା ପରେ ଗସ୍ତ ସୂଚୀରେ ପରିବର୍ତ୍ତନ କରା ଯାଇ ଥିବା ଅନୁମାନ କରାଯାଉଛି । ସେପଟେ ୫-ଟି ସଚିବଙ୍କ ବ୍ରହ୍ମପୁର ଗସ୍ତକୁ ନଜରରେ ରଖି ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକ ଆଜି ଅଘୋଷିତ ଭାବେ ଛୁଟି ଘୋଷଣା କରାଯାଇଛି। ଏ ନେଇ କଲେଜଗୁଡ଼ିକ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସଭାରେ ଯୋଗ ଦେବା ପାଇଁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ହୋଇଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।