କ୍ରୁଟ ପକ୍ଷରୁ ୨ଲକ୍ଷ କ୍ଷତିପୂରଣ

ମୋ ବସ୍ ଧକ୍କାରେ ନାବାଳିକା ମୃତ୍ୟୁ, କ୍ରୁଟ ପକ୍ଷରୁ ୨ଲକ୍ଷ କ୍ଷତିପୂରଣ

ମୋ ବସ୍ ଧକ୍କାରେ ୧୩ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟଣା । କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି । ସହାୟତା ରାଶି ଦେବା ପରେ ରାସ୍ତା ରୋକରୁ ଉଠିଛନ୍ତି ସ୍ଥାନୀୟ ବାସିନ୍ଦା । ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣାକୁ ସ୍ୱୀକାର କଲେ କତ୍ତୃପକ୍ଷ । ସୂଚନା ଅନୁସାରେ ଆଜି ସକାଳୁ ନାବାଳିକାଙ୍କ ଜୀବନ ନେଇଛି ମୋ ବସ୍ । ନନ୍ଦନକାନନ ରାସ୍ତା ରଘୁନାଥପୁର ନିକଟରେ ଘଟିଥିଲା ଦୁର୍ଘଟଣା । ଘରୁ ସାଇକେଲ ନେଇ ନନ୍ଦନକାନନ ଛକକୁ ଯାଉଥିଲେ ୧୩ ବର୍ଷ ବୟସ୍କ ନାବାଳିକା । ପଛରୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା ମୋ ବସ୍ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତା ଅବରୋଧ ଫଳରେ ଘଣ୍ଟା ଘଣ୍ଟା ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା । ଅଟକି ରହିଥିଲା ଗାଡ଼ି ମୋଟର। ଟ୍ରାଫିକ ଡିସିପି, ଜୋନ୍ ଏସିପି ଓ ନନ୍ଦନକାନନ ଥାନା ଅଧିକାରୀ ଓ କ୍ରୁଟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ।