ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଚତୁର୍ଥ ଦିନ

ଡ୍ରାଇଭରଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ନିବେଦନ କଲେ ମନ୍ତ୍ରୀ

ଡ୍ରାଇଭରଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ନିବେଦନ କଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘‘ଆନ୍ଦୋଳନ କରୁଥିବା ଡ୍ରାଇଭର ମହାସଂଘର ସମସ୍ତ ଦାବିକୁ ଡ୍ରାଇଭରଙ୍କ ହିତରେ ଥିବା ସରକାର ଶୁଣି ଓ କାର୍ଯ୍ୟକାରୀ କରି ବା ପାଇଁ ଆଲୋଚନା ହୋଇସାରିଥିବାବେଳେ ପୁଣି ଆନ୍ଦୋଳନର ଆବଶ୍ୟକତା ନାହିଁ । ଆସନ୍ତା ୧୧ ତାରିଖରେ ଥିବା କଂଗ୍ରେସ ରାଲିକୁ ସମର୍ଥନ ଦେଇ ଦିନକ ପାଇଁ ସ୍ଥଗିତ ରଖିବା ଆନ୍ଦୋଳନରେ ରାଜନୀତି ଦେଖାଦେଇଛି। ନିରୀହ, ସରଳ ଡ୍ରାଇଭରଙ୍କୁ ଡ୍ରାଇଭର ମହାସଂଘ ନେତା ଆନ୍ଦୋଳନ ନାମରେ ଭ୍ରମିତ କରନ୍ତୁ ନାହିଁ । ଡ୍ରାଇଭର ଭାଇମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରୁଛି’’ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ଚତୁର୍ଥ ଦିନରେ ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ପ୍ରଭାବିତ ହେଉଛି ଜନଜୀବନ। ଯାତ୍ରୀ ପରିବହନ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏପଟେ ପେଟ୍ରୋଲ ପମ୍ପ ଗୁଡ଼ିକରେ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ପନି ପରିବା ବଜାରକୁ ମଧ୍ୟ ଆଂଶିକ ଭାବରେ ପ୍ରଭାବିତ କଲାଣି ଏହି ଆନ୍ଦୋଳନ। ଅନ୍ୟପଟେ ଗତକାଲି ଯୋଗାଣ ମନ୍ତ୍ରୀ ଓ ପେଟ୍ରୋଲ ଡିଜେଲ ଡିଲର ସଂଘ ମଧ୍ୟରେ ତୈଳ ସଂକଟକୁ ନେଇ ଆଲୋଚନା ହୋଇଥିଲା । ରାଜ୍ୟରେ ଯେତିକି ଇନ୍ଧନ ଅଛି, ସେଥିରେ ଦୁଇ ଦିନ ପର୍ଯ୍ୟନ୍ତ କାମ ଚାଲିପାରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବଜାରରେ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, ତେଣୁ ଭୟଭୀତ ନ ହେବା ଲାଗି ମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।