ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର
ଏଣିକି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଗିଫ୍ଟ ମିଲ୍କ ଯୋଜନାରେ ୨୯ଟି ସ୍କୁଲର ୧୧୮୪ ପିଲାଙ୍କୁ ପ୍ରତିଦିନ ୨୦୦ ଏମ୍ଏଲ୍ ଭିଟାମିନ୍ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ଯୋଜନା ହୋଇଛି। ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମୟୂରଭଞ୍ଜରେ ଗୋ-ସମାବେଶ, ଓମଫେଡକୁ ବିପଣନ ସହାୟତା ଏବଂ ଗିଫ୍ଟମିଲ୍କ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭିସିରେ ଏହାର ଶୁଭାରମ୍ଭ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ମୟୂରଭଞ୍ଜର ୩ ହଜାର ଚାଷୀଙ୍କୁ ଅଧିକ କ୍ଷୀର ଦେଉଥିବା ଗାଈ ପ୍ରଦାନ କରାଯାଇଥିଲା । ଗତବର୍ଷ ନଭେମ୍ୱର ୩୦ରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଡିସେମ୍ୱର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରାଯାଉଛି । ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୭ ଟଙ୍କା ୬୪ ପଇସାକୁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଖର୍ଚ୍ଚ ୫ ଟଙ୍କା ୯୦ ପଇସା ଥିଲା । ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରାଯାଇଛି ।
