ମୟୂରଭଞ୍ଜରେ ବିଜେଡିର ମାନସ ମନ୍ଥନ

ମୟୂରଭଞ୍ଜରେ ମାନସ ମନ୍ଥନ, ଆସିଲେନି ସୁଦାମ

ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ବଢ଼ିଛି ବିଜେଡିର ଟେନ୍‌ସନ। ଜିଲ୍ଲାରେ ବିଜେଡି ଦୁଇ ଫାଳ ହୋଇଥିବା ଚର୍ଚ୍ଚା ହେଉଛ। ତେବେ ସ୍ଥିତି ଅସମ୍ଭାଳ ହେଉଥିବା ଦେଖି ଦଳପତି ଜିଲ୍ଲାର ବିଜେଡି ନେତାମାନଙ୍କୁ ଡାକି ଟ୍ୟୁସନ୍‌ କରିଥିଲେ। ହେଲେ ଦଳପତିଙ୍କ ବୈଠକରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଦେଖିବାକୁ ମିଳିନଥିଲା। ଯାହାକୁ ନେଇ ନାନା କଳ୍ପଜଳ୍ପନା ଲାଗି ରହିଥିବା ବେଳେ ସୋମବାର ବାରିପଦାରେ ଜିଲ୍ଲା ବିଜେଡିର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନଥିଲେ ସୁଦାମ ଓ ତାଙ୍କ ସମର୍ଥକ। ମୟୂରଭଞ୍ଜ ବିଜେଡି ଦୁଇ ଫାଳ ହୋଇଯାଇଛି! ଦୁଇ ଗୋଷ୍ଠୀ ନିଜ ନିଜର ସମର୍ଥକଙ୍କୁ ଧରି ମେଳି କରୁଥିବା ବେଳେ କୁଡୁମୀ ସମ୍ପ୍ରଦାୟର ଟାଣୁଆ ନେତ୍ରୀ ତଥା ରାଜ୍ୟସଭା ସାଂସଦ ମମତା ମହାନ୍ତ ଇସ୍ତଫା ଦେଇଥିଲେ। ଆଉ ଇସ୍ତଫା ଦେଲା ବେଳେ ମମତା ବିଜେଡି ଉପରେ ଅସନ୍ତୋଷ ଝାଡ଼ିଥିଲେ। ତା’ପର ଦିନ ସେ ବିଜେପିରେ ଯୋଗଦେଇଥିଲେ। ମମତା ବିଜେପିରେ ଯୋଗଦେବା ପରେ ମୟୂରଭଞ୍ଜ ବିଜେଡିରେ ସୃଷ୍ଟି ହୋଇଥିଲା ଅଶାନ୍ତ ଝଡ଼। ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ଏକଜୁଟ୍‌ କରିବା ପାଇଁ ସୋମବାର ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଜିଲ୍ଲାର କିଛି ହାତଗଣତି ପୂର୍ବତନ ବିଧାୟକ, ବିଧାୟକ ପ୍ରାର୍ଥୀ ଓ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ। ତେବେ ବୈଠକରେ କ’ଣ ଆଲୋଚନା ହେଲା, ତାହା ଜଣାପଡ଼ି ନାହିଁ।

Leave a Reply

Your email address will not be published. Required fields are marked *