ଧରା ପଡ଼ିଲା ଚୌଦ୍ଵାର ମଣ୍ଡଳ କାରାଗାରରୁ ଫେରାର ଆସାମୀ
ଧରା ପଡ଼ିଲା ଚୌଦ୍ଵାର ମଣ୍ଡଳ କାରାଗାରରୁ ଫେରାର ଆସାମୀ । ଦୁଇ ଫେରାର କଏଦୀଙ୍କ ମଧ୍ୟରୁ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶରୁ ଗିରଫ କଲା କମିଶନରେଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚଢ଼ାଉ କରି ମଧୁକାନ୍ତକୁ କାବୁ କରିଥିଲା ସ୍ଵତନ୍ତ୍ର ପୋଲିସ ଟିମ୍ । ତେବେ ଅନ୍ୟ ଫେରାର କଏଦୀ ରାଜା ସାହାଣୀକୁ ଖୋଜୁଛି ପୋଲିସ ।ମଧୁକାନ୍ତକୁ ପୋଲିସ ଧରିବା ପରେ ରାଜା ପାଖରେ ପହଞ୍ଚିବା ସହଜ ହେବ ବୋଲି ଆଶା କରାଯାଉଛି। ବୃନ୍ଦାବନର ଏକ ମଠରୁ ମଧୁକାନ୍ତକୁ ଗିରଫ କରାଯାଇଛି। ସେଠାରେ ଛଦ୍ମ ବେଶରେ ଲୁଚି ଥିଲା ମଧୁକାନ୍ତ। ଉତ୍ତର ପ୍ରଦେଶ ପୋଲିସର ଗୋଇନ୍ଦା ସୂଚନାକୁ ଆଧାର କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ।ଗତ ଅକ୍ଟୋବର ଦୁଇ ତାରିଖ ରାତିରେ ଦୁଇ କଏଦୀ ଫେରାର ହୋଇ ଯାଇଥିଲେ। ଘଟଣା ପରେ ଏକ ତଦନ୍ତ କରିଥିଲା ଜେଲ ବିଭାଗ । ଡିଆଇଜି ଅନୁସୁୟା ଜେନା ଏକ ତଦନ୍ତ କରି ଅକ୍ଟୋବର ମାସ ୯ ତାରିଖରେ ଏକ ରିପୋର୍ଟ ଜେଲ ଡିଜି ସୁଶାନ୍ତ କୁମାର ନାଥଙ୍କୁ ପ୍ରଦାନ କରିଥିଲେ । ଫେରାର ହୋଇଥିବା ଦୁଇ କଏଦୀ ମଧୁକାନ୍ତ କୁମାର ଓ ରାଜା ସାହାଣୀ high security prisoners ଶ୍ରେଣୀ ଅନ୍ତର୍ଭୁକ୍ତ ଥିଲେ ।
