ପଥର ତଳେ ଚାପିହୋଇ ଗଲା ମାମୁଭଣଜାଙ୍କ ଜୀବନ

ପଥର ବ୍ଳାଷ୍ଟିଂ ବେଳେ ଅଘଟଣ

ପଥର ବ୍ଲାଷ୍ଟିଂ ନେଲା ମାମୁ ଭଣଜାଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ବନ୍ଧାଗୁଡ଼ାରେ। ମୃତକ ମାମୁଭଣଜା ହେଲେ ରମ୍ଭା ନିକଟସ୍ଥ ଝାରେଡି ଗାଁର ନାରାୟଣ ନାହାକ ଓ ମଧୁରଚୁଆ ଗାଁର ବିଷ୍ଣୁ ନାହାକ। ପଥର ବ୍ଲଷ୍ଟିଂ ବେଳେ ଉଭୟ ମାମୁ ଭଣଜାଙ୍କ ଉପରେ ପଡ଼ିଗଲା ବଡ଼ ପଥର। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ ସ୍ଥାନିୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ ଗଜପତି ଜିଲ୍ଲାରେ ଗତ କିଛି ଦିନ ହେଲା ବନ୍ଧାଗୁଡ଼ା ଗାଁ ନିକଟରେ ଥିବା ପଥର ଖାଦାନରେ ବ୍ଲାଷ୍ଟିଂ କରାଯାଉଛି । ତେବେ ଗତକାଲି ସନ୍ଧ୍ୟା ସମୟରେ ମଧ୍ୟ ପଥର ବ୍ଲାଷ୍ଟିଂ କରାଯାଉଥିଲା। ଦୁହେଁ ମାମୁ ଭଣଜା ସେଠାରେ ଠିଆ ହୋଇଥିଲେ। ହଠାତ୍ ସେମାନଙ୍କ ଉପରେ ବଡ଼ ପଥର ପଡ଼ିଯାଇଥିଲା। ଦୁହେଁ ପଥର ତଳେ ଚାପି ହୋଇ ରହି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି।  ଉଭୟଙ୍କର ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି। ଏହି ଘଟଣା ପରେ ପଥର ବ୍ଳାଷ୍ଟିଂ ନେଇ ସାଧାରଣରେ ଉଠିଛି ବଡ ପ୍ରଶ୍ନବାଚୀ।