ବଢିବ ସୂର୍ଯ୍ୟଦେବଙ୍କ ତେଜ

ଆଜିଠୁ ସୂର୍ୟ୍ୟଦେବଙ୍କର ଉତ୍ତରାୟଣ ଗତି

ବଢିବ ସୂର୍ଯ୍ୟଦେବଙ୍କ ତେଜ । ଶାସ୍ତ୍ରୀୟ ମତ ଅନୁସାରେ ମକର ସଂକ୍ରାନ୍ତିଠାରୁ ସୂର୍ୟ୍ୟଦେବଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଏହିଦିନ ସୂର୍ୟ୍ୟ ମକର ରାଶିକୁ ଆସି ବିଷୁବ ରେଖା ଆଡକୁ ଗତିକରୁଥିବାରୁ ଏହାର ନାମ ମକର ସଂକ୍ରାନ୍ତି ରହିଛି। ଏଥିସହ ସୂର୍ୟ୍ୟଙ୍କ ତେଜ ଧୀରେ ଧୀରେ ପ୍ରଖର ହେଉଥିବାରୁ ଯେକୌଣସି ଗୁରୁପାକ ଖାଦ୍ୟ ସହଜରେ ହଜମ ହୋଇଯାଏ। ସୂର୍ୟ୍ୟଙ୍କର ଏହି ଉତ୍ତରାୟଣ ସମୟରେ ମୃତ୍ୟୁ ହେଲେ ଜୀବ ସ୍ବର୍ଗ ଲାଭ କରେ ବୋଲି ବିଶ୍ୱାସ ରହିଛି। ଏନେଇ ବୈତରଣୀ ସମେତ ବିଭିନ୍ନ ନଦୀରେ ଲୋକେ ବୁଡ ପକାଇଥା’ନ୍ତି। ତେଣୁ ମକର ରାଶିର ପ୍ରଭାବକୁ ନେଇ ଉକ୍ତ ଦିନଟିକୁ ଅତ୍ୟନ୍ତ ଶୁଭଦିନ ବୋଲି ବିବେଚନା କରାଯାଇଥାଏ। ପୂର୍ବାଞ୍ଚଳରେ ବିଶେଷକରି ଓଡ଼ିଶାରେ ମହାଳୟାକୁ ପିତୃପର୍ବ ଭାବେ ପାଳନ କରାଯାଉଥିବା ବେଳେ ଦକ୍ଷିଣାତ୍ୟରେ ମକର ସଂକ୍ରାନ୍ତକୁ ପିଣ୍ଡଦାନ ପର୍ବ ଭାବେ ପାଳନ କରାଯାଏ। ଆଜି ହେଉଛି ପବିତ୍ର କୃଷି ଭିତ୍ତିକ ପର୍ବ ମକର ସଂକ୍ରାନ୍ତି। ଏହି ଅବସରରେ କୃଷକମାନେ ଉତ୍ପାଦିତ ନୂଆ ଧାନକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବା ସହ ନୂଆ ଚାଉଳ (ମକର ଚାଉଳ) ଠାକୁରଙ୍କ ପାଖରେ ଲାଗି କରି ଖୁବ୍‌ ଆନନ୍ଦ ଉତ୍ସାହରେ ମକର ପର୍ବ ପାଳନ କରିଥାନ୍ତି। ଅରୁଆ ଚାଉଳକୁ ବତୁରାଇ ସେଥିରେ କ୍ଷୀର, ନଡିଆ, କାଜୁ, କିସ୍‌ମିସ୍‌, ପାଚିଲା କଦଳୀ, ଆଖୁଖଣ୍ଡ ମିଶାଇ ମକର ଚାଉଳ ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଭୋଗ କରାଯାଏ। ପରିବାରର ସମସ୍ତେ ଏକାଠି ବସି ମକର ଚାଉଳ ଓ ଭୋଗ ଖାଇଥାନ୍ତି।