କାଶ୍ମୀରରେ ବଡ଼ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ୍

୧୬ ବର୍ଷ ଧରି ଫେରାର ଆତଙ୍କବାଦୀ ଅବୁ ହୁରୈରା ସମେତ ୫ ଗିରଫ

ଜମ୍ମୁ କାଶ୍ମୀର ପୁଲିସ ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ୍ କରିଛି। ଅପରେସନ ସମୟରେ ଶ୍ରୀନଗରରେ ଅବଦୁଲ୍ଲା ଓରଫ ଆବୁ ହୁରୈରା ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଅବଦୁଲ୍ଲା ଗତ ୧୬ ବର୍ଷ ଧରି ଫେରାର ଥିଲା ଏବଂ ଜମ୍ମୁ କାଶ୍ମୀର ବାହାରେ ସଂଗଠନ ପାଇଁ ଶିବିର ସ୍ଥାପନ କରିବାରେ ସକ୍ରିୟ ଥିଲା। ପୁଲିସର ସୂଚନା ଅନୁଯାୟୀ, ଏହି ଅପରେସନରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ଉସମାନ ଓରଫ ବହୁତାଇବକୁ ମଧ୍ୟ ଗିରଫ କରାଯାଇଛି। ଅପରେସନ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହଯୋଗରେ କରାଯାଇଥିଲା। ଜମ୍ମୁ ଏବଂ କାଶ୍ମୀର, ରାଜସ୍ଥାନ ଏବଂ ହରିୟାଣା ସମେତ ୧୯ଟି ସ୍ଥାନରେ ଚଢାଉ କରାଯାଇ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ବହୁ ଆପରାଧିକ ସାମଗ୍ରୀ ଜବତ କରିଛନ୍ତି।

ଏହି ନେଟୱାର୍କ ଆତଙ୍କବାଦୀମାନଙ୍କୁ ଲଜିଷ୍ଟିକ୍ସ, ଆଶ୍ରୟ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଉଥିଲା। ଗିରଫ ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣ ଶ୍ରୀନଗରର ବାସିନ୍ଦା। ସେମାନଙ୍କୁ ମହମ୍ମଦ ନକିବ ଭଟ୍, ଆଦିଲ ରସିଦ ଭଟ୍ ଏବଂ ଗୁଲାମ ମହମ୍ମଦ ମୀର ଓରଫ ମାମା ଭାବେ ଚିହ୍ନଟ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଜଣେ ବିଦେଶୀ ଆତଙ୍କବାଦୀ ଜାଲ୍ କାଗଜପତ୍ର ବ୍ୟବହାର କରି ଭାରତ ବାହାରକୁ ସଫଳତାର ସହ ଯାତ୍ରା କରିଥିଲେ । ଆତଙ୍କବାଦୀଜଣକ ପ୍ରାୟ ୧୬ ବର୍ଷ ପୂର୍ବେ ଭାରତରେ ଅନୁପ୍ରବେଶ କରିଥିଲେ ଏବଂ ଏହି ସମୟ ମଧ୍ୟରେ କାଶ୍ମୀର ଉପତ୍ୟକାର ବିଭିନ୍ନ ଜିଲ୍ଲାରେ କାର୍ୟ୍ୟ କରୁଥିଲେ। ସୁରକ୍ଷା ଏଜେନ୍ସିଗୁଡ଼ିକ କହିଛନ୍ତି ଯେ ଏହି ନେଟୱାର୍କ ବର୍ଷ ବର୍ଷ ଧରି ପ୍ରାୟ ୪୦ ଜଣ ବିଦେଶୀ ଆତଙ୍କବାଦୀଙ୍କୁ ପରିଚାଳନା ଏବଂ ନେତୃତ୍ୱ ଦେଇଛି, ଯାହାଙ୍କ ମଧ୍ୟରୁ ଅଧିକାଂଶ ପରେ ସୁରକ୍ଷା ବାହିନୀ ଦ୍ୱାରା ଏନକାଉଣ୍ଟରରେ ନିହତ ହୋଇଥିଲେ।

Leave a Reply

Your email address will not be published. Required fields are marked *