ମହରମ୍, ମୁସଲମାନ ସମ୍ପ୍ରଦାୟର ଏକ ନିଆରା ପର୍ବ

ମହରମ୍, ମୁସଲମାନ ସମ୍ପ୍ରଦାୟର ଏକ ନିଆରା ପର୍ବ। ରାଜ୍ୟ ତଥା ଦେଶର ସମସ୍ତ ମୁସଲମାନ ସଂପ୍ରଦାୟ ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରିଥାନ୍ତି । ତେବେ ଏହି ପର୍ବକୁ ନେଇ ଭଦ୍ରକ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଭଦ୍ରକରେ ସମୁଦାୟ ୪୧ଟି କାଫିଲା ବାହାରିବ। ୭ଟି କାଫିଲା ସହର ପରିକ୍ରମ ପରି ମଦିନା ମୈଦାନରେ ପହଞ୍ଚିବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାରେ ୨ଜଣ ଅତିରିକ୍ତ ଏସପି, ଓ ୫ଜଣ ଡିଏସପିଙ୍କ ସହ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଡ୍ରୋନ କ୍ୟାମେରା ସହ ସିସିଟିଭି ଜରିଆରେ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଛି।

ସେହିପରି ସମ୍ବଲପୁରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଳନ ହେଉଛି ମହରମ୍ ପର୍ବ। ଧନୁପାଲି ଥାନା ଛକ, ଜିଲ୍ଲା ସ୍କୁଲ ଛକ, ଭିଏସଏସ ମାର୍ଗ ସମେତ ବିଭିନ୍ନ ଛକରେ ପୁଲିସ ମୁତୟନ କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ମହରମ୍ ପାଳନ ପାଇଁ ଗତ ୨୭ ତାରିଖରେ ସହରର ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଚଳିତବର୍ଷ ମହରମ୍ ପର୍ବ ପାଳନ ବେଳେ ମିଳିତ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି । ବିଶେଷ କରି ଏହି ସମୟରେ କିପରି ଶାନ୍ତିଶୃଙ୍ଖଳା ବଜାୟ ରହିବ ତାକୁ ଦୃଷ୍ଟିରେ ରଖାଯାଇଛି । ସମସ୍ତ ସ୍କୁଲ କଲେଜ ତଥା ସରକାରୀ ଅଫିସକୁ ଛୁଟି ଘୋଷଣା କରାଯାଇଛି ।