ଭୁବନେଶ୍ୱରରେ ମହିଳା କଂଗ୍ରେସର ମହାସମାବେଶ

କଂଗ୍ରେସ ନେତା, କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱରରେ ଦମ୍ ଦେଖାଇଛି ରାଜ୍ୟ ମହିଳା କଂଗ୍ରେସ । କଂଗ୍ରେସ ଭବନ ଆଗରେ ମହିଳା ମହାସମାବେଶ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ଏଆଇସିସି ସଭାନେତ୍ରୀ ଅଳକା ଲାମ୍ବା । ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ରାସ୍ତାରୁ କଂଗ୍ରେସ ନେତା ଓ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ଆଣି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ଅଳକା । ସମାବେଶ ପରେ ନବୀନ ନିବାସ ଅଭିମୁଖେ ଯିବା ସମୟରେ ରାଜମହଲ ଛକରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଧସ୍ତାଧସ୍ତି ପରେ ଅଳକାଙ୍କ ସମେତ କଂଗ୍ରେସ ନେତାଙ୍କୁ ଉଠାଇ ନେଇଥିଲା ପୋଲିସ । ମହିଳା ମହାସମାବେଶରୁ ଅଳକା କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ନାହାନ୍ତି । ମହିଳାଙ୍କୁ ଫୋକସ କରି ବଡ ଘୋଷଣା କରିଛନ୍ତି । କହିଛନ୍ତି, ବିଧାନସଭା ଓ ଲୋକସଭା ଆସନରେ ୫୦ ପ୍ରତିଶତ ମହିଳା ପ୍ରାର୍ଥୀ ଦେବ କଂଗ୍ରେସ । ୩୩ ନୁହେଁ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ ଦଳ । ଏଥିପାଇଁ ସେ ଏଆଇସିସିକୁ ଅନୁରୋଧ କରିବେ ବୋଲି କହିଛନ୍ତି । ସମାବେଶରେ ସାମିଲ ହୋଇ କଂଗ୍ରେସ ସରକାର ହିଁ ପରିବର୍ତନ ଆଣିପାରିବ ବୋଲି କହିଛନ୍ତି ପିସିସି ମହିଳା ମୋର୍ଚ୍ଚା ସଭାନେତ୍ରୀ ।