ଜବାବ ଦାଖଲ ପାଇଁ ପୁଣି ସମୟ ନେଲେ ପ୍ରତାପ ଜେନା
ସୁପ୍ରିମକୋର୍ଟରେ ପହଞ୍ଚିଛି ମାହାଙ୍ଗା ଡବଲ ମର୍ଡର ମାମଲା। ତେବେ ଜବାବ ଦାଖଲ ପାଇଁ ପୁଣି ସମୟ ନେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ୪ ସପ୍ତାହରେ ଜବାବ ଦାଖଲ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ। ରହିଥିବାବେଳେ ଆଉ ୨ ସପ୍ତାହରେ ପ୍ରତିଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ମହଲତ ମିଳିଛି। ୨ ମାସ ପରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପ୍ରତାପ ଜେନାଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରିବାକୁ ଆବେଦନ କରାଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ।ସୂଚନାଯୋଗ୍ୟ, ପୂର୍ବତନ ମନ୍ତ୍ରୀ ପ୍ରତାପ କୁମାର ଜେନାଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାକୁ ରଦ୍ଦ କରି ହାଇକୋର୍ଟ ୨୦୨୪, ଅକ୍ଟୋବର ୧ରେ ପ୍ରଦାନ କରିଥିବା ରାୟକୁ ଚାଲେଞ୍ଜ କରି ରଣଜିତ ବରାଳ ଦାଏର କରିଥିବା ମାମଲାକୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିଥିଲେ। ଶ୍ରୀ ଜେନାଙ୍କ ତରଫରୁ ପୂର୍ବରୁ ସୁପ୍ରିମକୋର୍ଟରେ କାଭିଏଟ୍ ଦାଏର କରାଯାଇଥିଲା। ସୁପ୍ରିମକୋର୍ଟରେ ଶ୍ରୀ ବରାଳଙ୍କ ଆବେଦନ ଶୁଣାଣି ସମୟରେ ଶ୍ରୀ ଜେନାଙ୍କ ଆଇନଜୀବୀ ଉପସ୍ଥିତ ରହି ପକ୍ଷ ରଖିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହ ମାମଲାର ପ୍ରତିପକ୍ଷ ରାଜ୍ୟ ସରକାର ଓ ଶ୍ରୀ ଜେନାଙ୍କୁ ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ କହିଛନ୍ତି।
