ମହାକୁମ୍ଭରେ ଦଳାଚକଟା ପରେ ସରକାରଙ୍କ ବଡ଼ ନିଷ୍ପତ୍ତି

ଫେବ୍ରୁଆରୀ ୪ ଯାଏଁ ଚାରି ଚକିଆ ଗାଡ଼ି ପ୍ରବେଶ ଉପରେ କଟକଣା

ମହାକୁମ୍ଭରେ ଦଳାଚକଟା ପରେ ସରକାରଙ୍କ ବଡ଼ ନିଷ୍ପତ୍ତି । ଯୋଗୀ ସରକାରଙ୍କ ୫ ବଡ଼ ନିଷ୍ପତ୍ତି । ମହାକୁମ୍ଭରେ ଭିଭିଆଇପି ପାସ୍ ଓ ଗାଡ଼ିକୁ ସମ୍ପୂର୍ଣ୍ଣ ବାରଣ, ୨ ରୁଟ୍ ବଦଳରେ ଗୋଟିଏ ରୁଟରେ ଯିବେ ଶ୍ରଦ୍ଧାଳୁ । ଫେବ୍ରୁଆରୀ ୪ ଯାଏଁ ୪ଚକିଆ ଗାଡ଼ି ପ୍ରବେଶ ଉପରେ କଟକଣା ଲଗାଯାଇଛି । ମହାକୁମ୍ଭରେ ଦଳାଚକଟା ଘଟଣା ପରେ, ପୋଲିସ ପ୍ରଶାସନ ସକ୍ରିୟ ହୋଇଛି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଡ଼ା ନିର୍ଦ୍ଦେଶ ପରେ, ଭକ୍ତଙ୍କ ସୁବିଧା ଏବଂ ସୁରକ୍ଷାକୁ ଧ୍ୟାନରେ ରଖି ମେଳା ସ୍ଥାନ ପାଇଁ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ଭବିଷ୍ୟତରେ ଏପରି ଦୁର୍ଘଟଣାକୁ ରୋକାଯାଇପାରିବ। ଏବେ ବସନ୍ତ ପଞ୍ଚମୀରେ ଅମୃତ ସ୍ନାନକୁ ସୁଚାରୁରୂପେ କରିବା ପାଇଁ ପୋଲିସ ପ୍ରଶାସନ ପାଖରେ ଚ୍ୟାଲେଞ୍ଜ ରହିଛି ଏବଂ ଏହାକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି। ସେପଟେ ଏହି ଘଟଣାରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତିନି ଜଣିଆ କମିଟି ଦଳାଚକଟାର କାରଣ ଖୋଜିବେ । ଯେଉଁଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ୬୦ ଲୋକ ଆହତ ହୋଇଛନ୍ତି । ମଙ୍ଗଳବାର ରାତି ପ୍ରାୟ ସାଢେ ଗୋଟାଏରୁ ଦୁଇଟା ମଧ୍ୟରେ ଏହି ଦଳାଚକଟା ହୋଇଥିଲା । ହଠାତ୍ ବ୍ୟାରିକେଡ ଭାଙ୍ଗି ଭିଡ ଉପରେ ଭିଡ ଚଢିଯିବାରୁ ଏଭଳି ଦଳଚକଟା ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨୫ ଲକ୍ଷର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।