ଆଜି କାଳୀୟଦଳନ ବେଶରେ ଦର୍ଶନ ଦେବେ ମହାବାହୁ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିଆରା ବେଶ

 ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ହେବ କାଳୀୟଦଳନ ବେଶ । ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେବ ସ୍ବତନ୍ତ ନୀତିକାନ୍ତି। ଗତକାଲି ମହାପ୍ରଭୁଙ୍କ ବଣଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘାଶୁର ବଧ ନିତି ଅନୁଷ୍ଠିତ ହୋଇଥିବା ବେଳେ ଆଜି କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ଆଜି  ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇବେ ।

ପରେ ଶ୍ରୀଜିଉମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ଼ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିବେ । ସେଠାରେ  ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମାପନ ହେବ । ସେହିପରି ଅନ୍ୟାନ୍ୟ ନୀତି ବଢିବା ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯିବ | ତେବେ ମହାପ୍ରଭୁଙ୍କ ଏହି ଅପୂର୍ବ ବେଶକୁ ଦର୍ଶନ କରିବାକୁ ଭକ୍ତ ଉତ୍କଣ୍ଠିତ ହୁଥିବା ଦେଖିବାକୁ ମିଳିଛି ।