ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା

ଅବପାତର ରୂପ ନେଲା ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଲା । ଉତ୍ତରପଶ୍ଚିମ ଓ ପାଶ୍ବବର୍ତ୍ତୀ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ଅବପାତରେ ପରିଣତ ହୋଇଛି । ଏହି ଅବପାତ ପଶ୍ଚିମ ଦିଗକୁ ଗତି କରୁଛି । ଆଜି ସକାଳେ ପୁରୀ-କଳିଙ୍ଗପାଟଣମ ମଧ୍ୟରେ ଗୋପାଳପୁର ନିକଟରେ ଦକ୍ଷିଣଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ସୂଚନା ଦିଆଯାଇଛି ।ଏହାର ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନାଗିରି, କୋରାପୁଟର ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିଲା । ବାକି ସମସ୍ତ ଜିଲ୍ଲା ପାଇଁ ୟେଲୋ ସତର୍କତା ଜାରି ହୋଇଥିଲା । ସେହିପରି ଆଜି ପାଇଁ ୭ ଜିଲ୍ଲାକୁ ରହିଛି ୟେଲୋ ଆଲର୍ଟ । ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବା ଆଶଂକା ରହିଛି । ଏହାର ମୁକାବିଲାପାଇଁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ଗତକାଲି ପ୍ରସ୍ତୁତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଅଧିକ ପ୍ରଭାବିତ ହେବାକୁ ଥିବା ୧୭ ଜିଲ୍ଲାରେ ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ କରାଯାଇଛି ।