୧୨ ଘଣ୍ଟାରେ ଲଘୁଚାପ; ୩୬ ଘଣ୍ଟାରେ ଅବପାତ
ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ। ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ଲଘୁଚାପଟି ଅଧିକ ଘନୀଭୂତ ହୋଇ ଆଗାମୀ ୩୬ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପୂର୍ବ କେନ୍ଦ୍ରୀୟ ଆରବସାଗର ପାର୍ଶ୍ବବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳ ଅଂଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଫଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହି ଲଘୁଚାପ କ୍ଷେତ୍ରଟି ଉତ୍ତର ଦିଗରେ ଗତି କରିବ। ପରେ ଆହୁରି ଘନୀଭୂତ ହେବା ସହ ପରବର୍ତ୍ତୀ ୩୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ଆକଳନ କରାଯାଇପାରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
