୩ ଦିନ ପ୍ରବଳ ବର୍ଷା

ଆଜି ସୃଷ୍ଟି ହେବ ଲଘୁଚାପ: ୩ ଦିନ ପ୍ରବଳ ବର୍ଷା

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଉପର ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ଜାରି ରହିଛି। ଏହା ଏବେ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତାରେ ରହିଥିବା ବେଳେ ଦକ୍ଷିଣ-ପଶ୍ଚିମ ଘୂର୍ଣ୍ଣିବଳୟ ଆଡ଼କୁ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଏବେ ବର୍ଷା ଜାରି ରହିଛି। ଆଜି ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।  ଏଣୁ ଏହି ୪ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରଥଯାତ୍ରା ଦିନ ରାଜ୍ୟରେ ବର୍ଷାର ପ୍ରକୋପ ସାମାନ୍ୟ କମିବ।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷିପାରେ। ୨୮ ତାରିଖ ଦିନ ବି ରାଜ୍ୟର କେତେକାଂଶରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତକାଲି ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ ୫୦.୧ ମିମି ବର୍ଷା ହୋଇଥିବା ବେଳେ ବଲାଙ୍ଗୀରରେ ୪୬.୫ ମିମି, ବାଲେଶ୍ବରରେ ୪୦.୪ ମିମି ଓ ଜଗତସିଂହପୁରରେ ୩୨.୨ ମିମି ବର୍ଷା ରେକର୍ଡ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ୭% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ତେବେ ଏହି ଲଘୁଚାପ ବର୍ଷା କାରଣରୁ ଜୁନ୍‌ ଶେଷ ସୁଦ୍ଧା ରାଜ୍ୟରେ ବର୍ଷା ପରିମାଣ ସ୍ବାଭାବିକ ଅବସ୍ଥାକୁ ଫେରିଆସିବ ବୋଲି ଆଶା କରାଯାଉଛି।