୩ ଦିନ ପରେ ମାଆ କୋଳକୁ ଫେରିଲା ଅପହୃତ ଶିଶୁ
ଦୀର୍ଘ ୫୦ ଘଣ୍ଟା ପରେ ମାଆ କୋଳକୁ ଫେରିଲା ଅପହୃତ ଶିଶୁ । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଶ୍ରୀଜଙ୍ଗ ନିକଟ ବୋଇତା ଗାଁରୁ ଶିଶୁଟି ଉଦ୍ଧାର ହୋଇଛି । ସେହି ଗାଁର ଝିଲି ପଣ୍ଡାଙ୍କ ଘରୁ ଶିଶୁଟିକୁ ଉଦ୍ଧାର କରିଛି ପୋଲିସ । ଝିଲିଙ୍କ ସ୍ବାମୀଙ୍କର ସଂପର୍କୀୟ ଯାଜପୁର ଅଞ୍ଚଳର ଜଣେ ବ୍ୟକ୍ତି ଶିଶୁକୁ ଅପହରଣ କରି ଝିଲିଙ୍କୁ ଦେଇଥିବା ସୂଚନା ମିଳିଛି । ଶିଶୁକୁ ଉଦ୍ଧାର ପରେ ଭୁବନେଶ୍ବର ଆଣିଛି କମିଶନରେଟ ପୋଲିସ । କୁନି ପୁଅକୁ କୋଳରେ ପାଇବା ପରେ ଖୁସିରେ ଆତ୍ମହରା ହୋଇଛି ମା’ । ସେପଟେ ଶିଶୁ ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡକୁ ପୁରୀରୁ ଗିରଫ କରିଛି ପୋଲିସ । ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ୧୨ତାରିଖ ରାତିରେ ମାଆ କୋଳରୁ ଶିଶୁକୁ ଅପହରଣ କରିନେଇଥିଲା କେଦାରସନ ପଣ୍ଡା । ରାମମନ୍ଦିରରୁ ଭୁବନେଶ୍ବର ରେଳ ଷ୍ଟେସନ ଯାଇ ସେଠାରୁ ବାଲେଶ୍ବର ଚାଲିଯାଇଥିଲା ।
ବାଲେଶ୍ବରରେ ରେଳଷ୍ଟେସନରେ ଚୋରି ଶିଶୁକୁ ଝେଲମ ରାଣୀ ପଣ୍ଡାକୁ ହସ୍ତାନ୍ତର କରିଥିଲା । ମୁଖ୍ୟ ଅଭିଯୁକ୍ତ ସହ ଝେଲମରାଣୀ ପଣ୍ଡାଙ୍କର ବେଙ୍ଗାଳୁରୁରେ ପରିଚୟ ହୋଇଥିଲା । ଝେଲମଙ୍କର ଦୁଇଜଣ ଝିଅ ଓ ଗୋଟିଏ ୯ବର୍ଷର ପୁଅ ରହିଛି । ପୁଅ ଗୁରୁତର ରୋଗରେ ପୀଡ଼ିତ ଥିବାରୁ କେଦାରସନକୁ ଏକ ଶିଶୁ ପୁଅ ଆଣିଦେବାକୁ କହିଥିଲା ଝେଲମ । ଏହି କାରଣରୁ ଭୁବନେଶ୍ବରୁ ଶିଶୁକୁ ଚୋରି କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଏହାର ତଦନ୍ତ ଜାରି ରହିଥିବା କହିଛନ୍ତି ପୋଲିସ କମିସନର। ତେବେ ଅଙ୍ଗତସ୍କରୀ ନେଇ କୌଣସି ପ୍ରମାଣ ମିଳିନଥିବା କହିଛନ୍ତି ପୋଲିସ କମିଶନର । ଶିଶୁ ଚୋରି ନେଇ ଖାରବେଳ ନଗର ଥାନାରେ ମାମଲା ରୁଜୁ ହେବା ପରେ ୪ଟି ଟିମ ଗଠନ କରି ତଦନ୍ତ କରିଥିଲା।
ରାଜ୍ୟ ବାହାରକୁ ବି ଟିମ ଯାଇ ତନାଘନା କରିଥିଲା। ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୩ଟା ବେଳେ ଅପହରଣ କରିଥିଲା ଦୁର୍ବୃତ୍ତ । ଅପହରଣକାରୀ ଶିଶୁଟିକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା । ପରେ ଏକାଧିକ ଟିମ୍ ତଦନ୍ତ କରି ଶିଶୁକୁ ଉଦ୍ଧାର କରିଛନ୍ତି । ରାଜ୍ୟ ବାହାରକୁ ଚାଲାଣ ଯୋଜନା ନେଇ ଖବର ଥିଲା । ଏନେଇ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ଅପହୃତ ଶିଶୁର ମାଆ । ପିଲା ଚୋରକୁ କଠୋର ଦଣ୍ଡ ଦିଆଯାଉ କହିଲେ ମାଆ ।
