ବଜ୍ରପାତ ନେଲା ବାପପୁଅଙ୍କ ଜୀବନ

କାଳ ସାଜିଲା ବଜ୍ରପାତ

ଦୁଃଖ ଏମିତି ବି ଆସେ । ଆଉ ଅସମୟରେ ଉଜୁଡି ଯାଏ ସଂସାର । ଠିକ ଯେମିତି ଉଜୁଡିଗଲା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ମଠକୂଳ ଗାଁର ରାଜକିଶୋର କାଣ୍ଡିଙ୍କ ପରିବାର । ସବୁ କିଛି ଠିକଠାକ ଥିଲା , ହଠାତ ପୁରା ପରିବାର ଉପରେ ଲାଗିଗଲା କାହା ନଜର । ବଜ୍ରାଘାତରେ ଚାଲିଗଲା ବାପା ପୁଅଙ୍କ ଜୀବନ । କଟକ ଜିଲ୍ଲା ନିଆଳି ବ୍ଲକ ସୁନିଦା ନିକଟରେ ଏପରି ଅଘଟଣ ଘଟିଥିବା ଏଖିବାକୁ ମିଳିଛି । ମୃତକ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ମଠକୂଳ ଗାଁର ରାଜକିଶୋର କାଣ୍ଡି ଓ ପୁଅ-ଆଶୁତୋଷ କାଣ୍ଡି । ଉଭୟ ଏକ ବାଇକରେ କାକଟପୁରରୁ ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଛି ।

ବାପାକୁ ଆଣିବାକୁ ଆଶୁତୋଷ ଯାଇଥିବା ବେଳେ ବଜ୍ରପାତ ଯୋଗୁ ଉଭୟଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ କମସରି ଉଭୟ ବାପପୁଅ ଗତକାଲି ରାତିପ୍ରାୟ ୯ଟା ସମୟରେ ଘରକୁ ଫେରୁଥିଲେ। ବାପପୁଅ ବାଇକ୍‌ରେ ଘରକୁ ଫେରିଲାବେଳେ ବାଟରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାପାପୁଅ ଅଚେତ ହୋଇ ପଡ଼ିଯାଇଥିଲେ . ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବାପାପୁଅଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି । ଦଇବ ଯେ ଏମିତି ଦୁଃଖ ଦେଇଥାଏ ତାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ଥାନୀୟ ଗ୍ରାମବାସୀ । ଦୁଇ ଦୁଇଟି ରୋଜଗାରିଆଙ୍କ ମୃତ୍ୟୁ ପରେ ବେସାହାରା ହୋଇଛି ପୁରା ପରିବାର ।