ସହିଦ୍ ଯବାନ ଅମର ରହେ…
ପଞ୍ଚଭୂତରେ ବିଲୀନ ହେଲା ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଏବେ ବି ଗୁମୁରି କାନ୍ଦୁଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗାଁ । ଭେଣ୍ଡିଆ ପୁଅକୁ ହରାଇ ପରିବାର ଲୋକେ ମନର କୋହକୁ ସମ୍ଭାଳିପାରୁନାହାନ୍ତି । ମଶାଣିରେ ମରଶରୀରରେ ସହିଦଙ୍କ ଦାଦାଙ୍କ ପୁଅ ରାକେଶ କୁମାର ଦାସ ମୁଖାଗ୍ନି ଦେଇଛନ୍ତି । ମଶାଣିରେ ସହିଦଙ୍କ ଚିତା ଜଳୁଥିବା ବେଳେ ପରିବାର ଲୋକ, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ବଜନ, ଶୁଭେଚ୍ଛୁ, ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ହଜାର ହଜାର ଲୋକଙ୍କ ଆଖିରୁ ଲୁହ ଜକେଇ ଆସୁଥିଲା । ହେଲେ ବିଧିର ବିଧାନକୁ କେହି ଆଡେଇ ଦେଇପାରିନଥିଲେ । ମାତ୍ର ସାତ ମାସର ସମ୍ପର୍କ, ଦୁହେଁ ଦୁହିଁକୁ ଭଲ ଭାବରେ ବୁଝିବା ପୂର୍ବରୁ ଲିଭିଯାଇଛି ଜୀବନ ଦୀପ । ସତେ ବା ଯେମିତି ତାଙ୍କ ଖସିରେ ଲାଗିଯାଇଛି କାହାର ନଜର ।