ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୋମବାର ପୁରୀ ସ୍ବର୍ଗଦ୍ବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ ପୁଅ ସୌମେନ୍ଦ୍ର ପ୍ରଧାନ ମୁଖାଗ୍ନି ଦେଇଛନ୍ତି। ଦେବେନ୍ଦ୍ରଙ୍କ ଶେଷକୃତ୍ୟରେ ବାବା ରାମଦେବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ, ସମ୍ପର୍କୀୟ, ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ।ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ନିଆଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷଯାତ୍ରାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ଏକ ସୁସଜ୍ଜିତ ଗାଡ଼ିରେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ମୃତଦେହ ସ୍ୱର୍ଗଦ୍ୱାର ଶ୍ମଶାନକୁ ଅଣାଯିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ଶେଷ ଦର୍ଶନ ପାଇଁ ବହୁ ଶୁଭେଚ୍ଛୁ ଅପେକ୍ଷା କରିଥିଲେ । ବିଭିନ୍ନ ରାଜନୈଦିକ, ସାମାଜିକ ଓ ସାଂସ୍କୃତିକପକ୍ଷରୁ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଶବାଧାରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।ଗତକାଲି ୮୪ ବର୍ଷ ବୟସରେ ନୂଆଦିଲ୍ଲୀରେ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନର ଶେଷନିଶ୍ବାସ ତ୍ୟାଗ କରିଥିଲେ ।