ମୃତ୍ୟୁସଂଖ୍ୟା ୬୫କୁ ବୃଦ୍ଧି, ୨୦୦ରୁ ଅଧିକ ଏବେ ବି ନିଖୋଜ
ଜମ୍ମୁ କାଶ୍ମୀରର କିସ୍ତୱାଡ଼ ଜିଲ୍ଲା ଅଧୀନସ୍ଥ ଚସୋତି ଗ୍ରାମରେ ଗୁରୁବାର ଅପରାହ୍ନରେ ହୋଇଥିବା ବାଦଲଫଟା ବର୍ଷା ଏବଂ ଅଚାନକ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୬୫କୁ ବୃଦ୍ଧି ପାଇଛି। ୨୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରୁ ୩୪ ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ ୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କ ସଂଖ୍ୟା ୧୮୦ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ସମସ୍ତ ଆହତଙ୍କୁ କିସ୍ତୱାଡ଼ ଏବଂ ଜମ୍ମୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ ୭୫ ଜଣଙ୍କ ପରିବାର ସଦସ୍ୟ ସେମାନଙ୍କ ସଂକ୍ରାନ୍ତରେ ପ୍ରଶାସନକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ୩ ଏନ୍ଡିଆରଏଫ୍ ଟିମ୍, ୩୦୦ ସେନା ଯବାନ, ହ୍ବାଇଟ୍ ନାଇଟ କର୍ପ୍ସ ମେଡିକାଲ ଟିମ୍, ପୁଲିସ , ଏସ୍ଡିଆରଏଫ୍ ଏବଂ ଅନ୍ୟ ସଂସ୍ଥା ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି। ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଜି ଚସୋତି ଗସ୍ତ କରିଛନ୍ତି ଏବଂ ପୀଡ଼ିତଙ୍କୁ ଭେଟି ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି କହିଛନ୍ତି।ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି।
