ବିଜେପିରେ ରହି ସ୍ୱାଧୀନ ଭାବେ ଲଢିବେ ଖାରବେଳ ସ୍ୱାଇଁ

ଖାରବେଳ ହେବେ ସ୍ୱାଧୀନ ପ୍ରାର୍ଥୀ

ବାଲେଶ୍ୱରରୁ ସ୍ୱାଧୀନ ଭାବେ ଲଢ଼ିବେ ଖାରବେଳ ସ୍ୱାଇଁ । ସାଂସଦ ପ୍ରାର୍ଥୀ ଭାବେ ପ୍ରତାପ ଷଡଙ୍ଗୀଙ୍କ ନାଁ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଘୋଷଣା କରିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । କହିଛନ୍ତି, ବାଜପେୟୀଙ୍କ ଫଟୋ ରଖି ଭୋଟ୍ ମାଗିବେ । ବିଜେପିର ବିକାଶ କଥା କହି ଲୋକଙ୍କ ପାଖକୁ ଯିବେ । କିନ୍ତୁ ସେ ଦଳରୁ ଇସ୍ତଫା ଦେବେ ନାହିଁ ବୋଲି ମଧ୍ୟ କହିଛନ୍ତି । ଗତଥର ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ଚଳିତଥର କିନ୍ତୁ ସେ କନ୍ଧମାଳରୁ ଲଢିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ । ଏଥର ବାଲେଶ୍ୱର ଲୋକସଭା ଆସନ ପାଇଁ ଖାରବେଳ ଆଶାୟୀ ଥିଲେ । ଏପରିକି ବାଲେଶ୍ୱରରୁ ଲଢିବାକୁ ଇଚ୍ଛା ଥିବା ନେଇ ଦଳର ନେତୃତ୍ୱଙ୍କୁ ଜଣାଇଥିଲେ । କିନ୍ତୁ ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଖାରବେଳଙ୍କର ନାଁ ନଥିଲା । ପୁଣିଥରେ ଦଳ ପ୍ରତାପ ଷଡଙ୍ଗୀଙ୍କ ଉପରେ ଭରସା କରିଛି । ପ୍ରାର୍ଥୀ ତାଲିକା ଆସିବା ପରେ ଖାରବେଳ ସ୍ୱାଧୀନ ଭାବେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ।