ସାଧୁ ସନ୍ଥଙ୍କ ପୂଜାପାଠରେ କମ୍ପିବ ଖଣ୍ଡଗିରି
ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା। ସାଧୁ ସନ୍ଥଙ୍କ ପୂଜାପାଠରେ କମ୍ପିବ ଖଣ୍ଡଗିରି।ହୋମଯଜ୍ଞରେ ପ୍ରକମ୍ପିତ ହେବ ପରିବେଶ।ଯଜ୍ଞ ପାଇଁ ସାଧୁ ସନ୍ଥମାନେ ନିଜ ନିଜର ଆସ୍ଥାନ ଜମାଇ ସାରିଥିବା ବେଳେ ଆଜିଠୁ ଖଣ୍ଡଗିରିକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ଲାଗିଛନ୍ତି ସାଧୁ। ମେଳା ପାଇଁ ଏବେଠୁ ଖୋଲିଲାଣି ଭଳିକି ଭଳି ଦୋକାନ ବଜାର । ନାମୀଦାମୀ ଯାତ୍ରା ପାର୍ଟି ମଧ୍ୟ ମଞ୍ଚ ସାଜସଜ୍ଜାରେ ଦିନରାତି ଏକ କରିଦେଇଛନ୍ତି । ମହାକୁମ୍ଭରେ ବୁଡ ପକାଇ ଖଣ୍ଡଗିରି ଆସିଲେଣି ସାଧୁସନ୍ଥ । ମନ୍ତ୍ର ଉଚ୍ଚାରଣରେ ଏବେଠୁ ଗୁମ୍ଫା ଗୁଞ୍ଜରିତ ହେଲାଣି । ଯଜ୍ଞକୁଣ୍ଡ ଓ ସାଧନା ସ୍ଥଳ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଆଗାମୀ ଦିନରେ ଖଣ୍ଡଗିରି ମେଳାକୁ ଆହୁରି ସାଧୁସନ୍ଥ ଆସିବାକୁ ଥିବାରୁ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି । ସାଧୁସନ୍ଥଙ୍କ ଲାଗି ସ୍ବତନ୍ତ୍ର ଟେଣ୍ଟ ବ୍ୟବସ୍ଥା ହୋଇଥିବା ବେଳେ, ପାନୀୟ ଜଳ, ଶୌଚାଳୟ ଏବଂ ଆଲୋକୀକରଣ ବ୍ୟବସ୍ଥା ହୋଇଛି ।
