କାଲିଠୁ ଖଣ୍ଡଗିରି ମେଳା

କାଲିଠୁ ଖଣ୍ଡଗିରି ମେଳା

କାଲିଠୁ ଖଣ୍ଡଗିରି ମେଳା । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଖଣ୍ଡଗିରିରେ ସାଧୁସନ୍ଥ ମଧ୍ୟ ପହଞ୍ଚୁଥିବା ଦେଖିବାକୁ ମିଳିଲାଣି। ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ଲାଗିଛନ୍ତି ସାଧୁ। ସେପଟେ ମେଳା ପାଇଁ ଏବେଠୁ ଖୋଲିଲାଣି ଭଳିକି ଭଳି ଦୋକାନ ବଜାର । ନାମୀଦାମୀ ଯାତ୍ରା ପାର୍ଟି ମଧ୍ୟ ମଞ୍ଚ ସାଜସଜ୍ଜାରେ ଦିନରାତି ଏକ କରିଦେଇଛନ୍ତି । ମହାକୁମ୍ଭରେ ବୁଡ ପକାଇ ଖଣ୍ଡଗିରି ଆସିଲେଣି ସାଧୁସନ୍ଥ । ମନ୍ତ୍ର ଉଚ୍ଚାରଣରେ ଏବେଠୁ ଗୁମ୍ଫା ଗୁଞ୍ଜରିତ ହେଲାଣି । ଯଜ୍ଞକୁଣ୍ଡ ଓ ସାଧନା ସ୍ଥଳ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଆଗାମୀ ଦିନରେ ଖଣ୍ଡଗିରି ମେଳାକୁ ଆହୁରି ସାଧୁସନ୍ଥ ଆସିବାକୁ ଥିବାରୁ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି । ସାଧୁସନ୍ଥଙ୍କ ଲାଗି ସ୍ବତନ୍ତ୍ର ଟେଣ୍ଟ ବ୍ୟବସ୍ଥା ହୋଇଥିବା ବେଳେ, ପାନୀୟ ଜଳ, ଶୌଚାଳୟ ଏବଂ ଆଲୋକୀକରଣ ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ଦେବକୁଣ୍ଡ ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସାଧୁସନ୍ଥ । ମାଘ ସପ୍ତମୀ ଅର୍ଥାତ୍ ୪ ତାରିଖରୁ ମାଆ ବାରଭୂଜା ଏବଂ ଅନନ୍ତ କେଶରୀଙ୍କ ପୂଜା ଆରମ୍ଭ ହେବ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପୂଜା । ସପ୍ତମୀ ଓ ଅଷ୍ଟମୀ ଦୁଇ ଦିନ ଧରି ଯାଗମରା ବଡ ପୋଖରୀକୁ ବାହାରିବ କଳସ ଯାତ୍ରା । ସପ୍ତମୀ ଦିନ ଖଣ୍ଡଗିରୀ ପାହାଡରେ ଥିବା ୪ଟି ଗଙ୍ଗା କୁଣ୍ଡରୁ ଜଳ ଆଣି କୁମ୍ଭ ବସାଇବାର ବିଧି ରହିଛି ।