ବନ୍ଦ ହେଲା କେଦାରନାଥ ଯାତ୍ରା
ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଭଳି ରାଜ୍ୟ । ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଯାତ୍ରା ବନ୍ଦ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଯାତ୍ରୀଙ୍କୁ ସୋନପ୍ରୟାଗ ଏବଂ ଗୌରୀକୁଣ୍ଡରେ ଅଟକାଯାଇଛି । ପାଣିପାଗ ବିଭାଗ ଆଜି ରୁଦ୍ରପ୍ରୟାଗ ଏବଂ ଚାମୋଲି ଜିଲ୍ଲା ପାଇଁ ପ୍ରବଳ ବର୍ଷା ହେବାର ସତର୍କତା ଜାରି କରିଛି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଭୁସ୍ଖଳନ ପରେ ବଦ୍ରିନାଥକୁ ଯିବା ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି । ଗୌରୀକୁଣ୍ଡରେ ରାସ୍ତା ସଫା କାର୍ଯ୍ୟ ଜାରି ରହିଛି, ଯାହା ଦ୍ଵାରା ଯାତ୍ରା ଶୀଘ୍ର ଆରମ୍ଭ ହୋଇପାରିବ।
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି । ଏହି କାରଣରୁ ଭୂସ୍ଖଳନର ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ନିକଟରେ ପ୍ରବଳ ବର୍ଷା ଯୋଗୁଁ ସୋନପ୍ରୟାଗରେ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ କେଦାରନାଥରୁ ଫେରୁଥିବା ୪୦ ରୁ ଅଧିକ ଶ୍ରଦ୍ଧାଳୁ ଫସି ଯାଇଥିଲେ । ଏସଡିଆରଏଫ ଟିମ୍ ସୋନପ୍ରୟାଗ ଭୂସ୍ଖଳନ ଅଞ୍ଚଳ ନିକଟରେ ଫସି ରହିଥିବା ୪୦ ଜଣ ଶ୍ରଦ୍ଧାଳୁଙ୍କୁ ସଫଳତାର ସହ ଉଦ୍ଧାର କରିଛି । ଉତ୍ତରାଖଣ୍ଡରେ ନିରନ୍ତର ବର୍ଷା ଯୋଗୁଁ, ଅନେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ପାନୀୟ ଜଳ ଯୋଗାଣ ପ୍ରଭାବିତ ହୋଇଛି । ତେବେ ଉତ୍ତରାଖଣ୍ଡର ୪ଟି ଜିଲ୍ଲାରେ ଭୂସ୍ଖଳନ ଚେତାବନୀ ଦିଆଯାଇଛି । ଆଜି ଏବଂ ଆସନ୍ତାକାଲି ଟିହରୀ, ରୁଦ୍ରପ୍ରୟାଗ, ଚମୋଲି ଏବଂ ଉତ୍ତରକାଶୀରେ ଭୂସ୍ଖଳନ ସମ୍ଭାବନା ରହିଛି । ତେଣୁ ଲୋକମାନଙ୍କୁ ଆଲର୍ଟରେ ରଖାଯାଇଛି ।
