କାମାକ୍ଷା ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ

କାମାକ୍ଷା ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ, ପୂର୍ବତଟ ରେଲୱେ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି

କାମାକ୍ଷା ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ । ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି ।ସୂଚନାଯୋଗ୍ୟ ଯେ, ରବିବାର କଟକ ଚୌଦ୍ବାର-ମଙ୍ଗୁଳି ଷ୍ଟେସନ ନିକଟରେ ୧୧. ୫୪ ସମୟରେ ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ନିର୍ଗୁଣ୍ଡିରେ ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି । ଏକ୍ସପ୍ରେସ୍‌ ର ୧୧ ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି ।  ଟ୍ରେନ୍‌ର ବି-୬ରୁ ବି-୧୪ ପର୍ଯ୍ୟନ୍ତ ବଗି ଟ୍ରାକ୍‌ରୁ ଖସିପଡ଼ିଛି । ନିକଟରେ ଥିବା ଜଙ୍ଗଲ ଏବଂ ବିଲକୁ ଟ୍ରେନ୍‌ର ବଗି ଗୁଡ଼ିକ ଟ୍ରାକ୍‌ରୁ ଖସି ମାଡ଼ି ଯାଇଛି । ଫଳରେ ଅନେକ ଯାତ୍ରୀ ଟ୍ରେନ୍‌ରୁ ଡେଇଁ ପଡିଥିଲେ । ଏଥିପାଇଁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ଏହି ଲାଇନ୍‌ରେ ଆସିବାକୁ ଥିବା ଅନ୍ୟ ଟ୍ରେନ୍‌ଗୁଡିକୁ ବାତିଲ କରିଦିଆଯାଇଥିବା ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି  । ଅଟକି ରହିଥିବା ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି ।

ଦୁର୍ଘଟଣା ପରେ ପୂର୍ବତଟ ରେଲୱେ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।

ଭୁବନେଶ୍ବର ହେଲପଲାଇନ ନମ୍ବର- 8455885999

କଟକ ହେଲପଲାଇନ ନମ୍ବର-8991124238

ଖୋର୍ଦ୍ଧା ହେଲପଲାଇନ ନମ୍ବର- 06742492245

ଭଦ୍ରକ ହେଲପଲାଇନ ନମ୍ବର 9437443469

INMARSAT TELEPHONE NO- 8991124238  ନମ୍ବର ଜାରି ହୋଇଛି  ।

ଦୁର୍ଘଟଣା ପରେ ତିନିଟି ଟ୍ରେନର ଗତିପଥ ବଦଳିଛି । ଡାଉନଲାଇନରେ ଦୁର୍ଘଟଣା ହୋଇଛି । ରିଷ୍ଟୋରେସନ କାମ ଶୀଘ୍ର ଶେଷ କରିବା ଲକ୍ଷ୍ୟ ରହିଛି ।ଅନ୍ୟପଟେ କିଛି ଯାତ୍ରୀ ଆହତ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପ୍ରବଳ ଖରା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପିଇବା ପାଣି ମିଳୁନଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।