ମାଆ ମାଣିକେଶ୍ବରୀଙ୍କ ପୀଠରେ ଲାଗିଲାଣି ଗହଳି !
ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା । ଏହାରି ଭିତରେ ଆସନ୍ତାକାଲି ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀ । ମାଙ୍କ ପୂଜା ପାଇଁ ବେସ୍ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର । ସ୍ଥାନୀୟ ଲୋକାଚାର ମତରେ ମୂଳାଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରାସାଦରେ ଥିବା ମାଣିକେଶ୍ବରୀ ପୀଠରେ ହୋଇଥାଏ ସ୍ବତନ୍ତ୍ର ପୂଜା । ବିଧି ଅନୁସାରେ ମାଆ ମାଣିକେଶ୍ୱରୀଙ୍କୁ ମହାଷ୍ଟମୀ ମଧ୍ୟରାତ୍ରରେ ରାଜବାଟୀରୁ ପାଖାପାଖି ୩ କିଲୋମିଟର ଦୂର ଜେନାଖାଲକୁ ନିଆଯାଏ । ମହାଷ୍ଟମୀ ସକାଳେ ନଗର ପରିଭ୍ରମଣରୁ ଏହି ଯାତ୍ରା ଆରମ୍ଭ ହୁଏ ।
ପୁଣି ମାଆଙ୍କୁ ରାଜବାଟୀକୁ ଫେରାଇ ଅଣାଯାଏ । ଏହି ଅବସରରେ ମାନସିକ ରଖିଥିବା ଶ୍ରଦ୍ଧାଳୁ ରାସ୍ତାରେ କୁକୁଡ଼ା, ବୋଦା, ଛେଳି ସହ ଭକ୍ତମାନେ ଧୂପଦୀପ, ନୈବେଦ୍ୟ ଅର୍ପଣ କରିଥାନ୍ତି । ଏହାସହ ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାଙ୍କୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ରହିଛି । କଳାହାଣ୍ଡିର ରୀତିନୀତି ଅନୁଯାୟୀ ତଥା ସ୍ଥାନୀୟ ସଂସ୍କୃତି ପରମ୍ପରାରେ ମାଙ୍କ ପୂଜା ଓଡ଼ିଶା ପ୍ରସିଦ୍ଧ । ମାଙ୍କ ଯାତ୍ରାରେ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାବେଶକୁ ଦୃଷ୍ଟିରେ ରାଖୀ ପୋଲିସ ପ୍ରଶାସନ ତରଫରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି ।