ଜଷ୍ଟିସ ହରିଶ ଟଣ୍ଡନ ହେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଜଷ୍ଟିସ ହରିଶ ଟଣ୍ଡନ ହାଇକୋର୍ଟର ମୁଖ୍ୟ ବିଚାରପତି

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ କ୍ରମେ ତାଙ୍କୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ ୬ ତାରିଖରେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । ଏବେ କଲିକତା ହାଇକୋର୍ଟରେ ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଟଣ୍ଡନ । ଜାନୁଆରୀ ୧୯ରୁ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓଡ଼ିଶା ହାଇକୋର୍ଟରୁ ଅଵସର ନେବା ପରେ ମୁଖ୍ୟ ବିଚାରପତି ପଦବୀ ଖାଲି ରହିଛି । ସେବେଠାରୁ ଜଷ୍ଟିସ ଅରିନ୍ଦମ ସିହ୍ନା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବେ ବଦଳି ପାଇଁ ଗତକାଲି ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ କରିଛନ୍ତି । ଜଷ୍ଟିସ ହରିଶ ଟଣ୍ଡନ ଏବେ ସର୍ବ ଭାରତୀୟ ସ୍ତରରେ ସପ୍ତମ ବରିଷ୍ଠ ହାଇକୋର୍ଟ ବିଚାରପତି । ୧୯୬୪ ମସିହା ନଭେମ୍ବର ୧୬ ରେ ଜଷ୍ଟିସ ଟଣ୍ଡନଙ୍କର ଜନ୍ମ । ୧୯୮୩ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ପରେ ୧୯୮୯ ରେ ସେହି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ ।ସେହିବର୍ଷ ସେପ୍ଟେମ୍ବର ୨୬ ରେ ଓକିଲ ଭାବେ ନାମ ପଞ୍ଜିକରଣ କରି ସେ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଦେୱାନି ମାମଲା ପରିଚାଳନାରେ ସେ ସିଦ୍ଧହସ୍ତ । ୨୦୧୦ ଏପ୍ରିଲ ୧୩ ତାରିଖରେ କଲିକତା ହାଇକୋର୍ଟରେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ସେବେଠାରୁ ଏଯାଏ ସେ କଲିକତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରି ଅନେକ ଦୃଷ୍ଟାନ୍ତମୂଳକ ରାୟ ପ୍ରଦାନ କରିଛନ୍ତି ।