୧୪ରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର

୧୪ରେ ଖୋଲିବ ରତ୍ନଭଣ୍ଡାର!

୧୪ରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଆଜି କମିଟିର ଦ୍ୱିତୀୟ ବୈଠକ ବସିଥିଲା । ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ୧୪ରେ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେବେ । ସରକାରଙ୍କ ଅନୁମତି ପାଇଲେ ରତ୍ନଭଣ୍ଡାର ଖୋଲାଯିବ । ୧୪ ତାରିଖରେ ରତ୍ନଭଣ୍ଡାର ଚାବି ଉପସ୍ଥାପନ ହେବ । ତଦାରଖ କମିଟି ଆଗରେ ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ । ରଥଯାତ୍ରାରେ ବ୍ୟସ୍ତ ଥିବାରୁ ଆଜି ଚାବି ଉପସ୍ଥାପନ ହୋଇପାରିନି । ଚାବି କାମ କରୁ ବା ନକରୁ ନିଶ୍ଚିତ ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଷ୍ଟିସ ରଥ କହିଛନ୍ତି ।ରତ୍ନଭଣ୍ଡାର ଖୋଲିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି । ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ । ସେହିପରି ରତ୍ନଭଣ୍ଡାର ଗହଣା ରଖିବା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ପରିଚାଳନା କମିଟି ମନ୍ଦିର ଭିତରେ ସ୍ଥାନ ଚିହ୍ନଟ କରିଛନ୍ତି । ଅସ୍ଥାୟୀ ଭଣ୍ଡାର ଭିତରେ ଗହଣା ସିଡ୍ୟୁଲ ଅନୁସାରେ ରଖାଯିବ ବୋଲି ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ।

ସେହିପରି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ରାଜୀବ ସାହୁ କହିଛନ୍ତି, ୧୪ ତାରିଖରେ ଯେମିତି ହେଲେ ରତ୍ନ ଭଣ୍ତାର ଖୋଲିବାକୁ ଚେଷ୍ଟା କରାଯିବ । ସରକାରଙ୍କ ସହ ମ୍ୟାନେଜିଂ କମିଟିର ଅନୁମତି ମିଳିଲେ ଏହି ଦିନ ହିଁ ରତ୍ନ ଭଣ୍ତାର ଖୋଲାଯିବ । ରତ୍ନ ଭଣ୍ତାର ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସରକାର ନେବେ ବୋଲି କହିଛନ୍ତି ରାଜୀବ ସାହୁ ।ଗଣତି, ମଣତି ବେଳେ କିଏ କିଏ ରହିବେ? କ୍ୱାଲିଟି ଚେକ୍ କେମିତି ହେବ? କେଉଁ ଉପାୟରେ ଖୋଲାଯିବ? ଏସବୁ ଉପରେ ସରକାର ହିଁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ବାହାର ରାଜ୍ୟରୁ କି ଓଡ଼ିଶାରୁ ଯୋହରୀ ଆସିବେ ସେ ନିଷ୍ପତ୍ତି ମଧ୍ୟ ରାଜ୍ୟ ସରକାର ନେବେ । ଯଥା ଶୀଘ୍ର ରତ୍ନ ଭଣ୍ତାର ଖୋଲାଯିବା ନେଇ ଚେଷ୍ଟା କରାଯିବ ବୋଲି କହିଛନ୍ତି ତଦାରଖ କମିଟି ସଦସ୍ୟ ରାଜୀବ ସାହୁ ।