ବିଧାନସଭାରେ ଗାନ୍ଧୀ ମୂର୍ତ୍ତୀ ତଳେ ସାମ୍ବାଦିକଙ୍କ ଧାରଣା
ବିଧାନସଭାରେ ଗାନ୍ଧୀ ମୂର୍ତ୍ତୀ ତଳେ ସାମ୍ବାଦିକଙ୍କ ଧାରଣା।ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ଏହାକୁ ବିରୋଧ କରି ଧାରଣା ଦେଇଛନ୍ତି ସାମ୍ବାଦିକ। ଧାରଣା ସ୍ଥଳରେ ସାମ୍ବାଦିକ ଗୁରୁତର ହୋଇଛନ୍ତି। ଅସୁସ୍ଥ ଅବସ୍ଥାରେ ବିଧାନସଭା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଧାରଣା ଜାରି ରହିଛି। ବିଧାନସଭା ପ୍ରଶ୍ନକାଳରେ ଯେତେବେଳେ ମନ୍ତ୍ରୀମାନେ ବିଧାୟକମାନଙ୍କର ପ୍ରଶ୍ନର ଉତ୍ତର ରଖୁଛନ୍ତି, ସେହି ସମୟରେ ସାମ୍ବାଦିକଙ୍କ ଉପରେ ଲାଗିଛି କଟକଣା । ଗତକାଲିର ଘଟଣା ପରେ, ବୁଧବାର ସାମ୍ବାଦିକମାନେ ଯେତେବେଳେ ବିଧାନସଭା ପ୍ରଶ୍ନକାଳକୁ ପ୍ରସାରଣ କରିବାକୁ ବିଧାନସଭାରେ ପହଞ୍ଚିଥିଲେ, ସେହି ସମୟରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଲଫାପା ଦିଆଯିବା ସହିତ, ଏହି ଲଫାପାରେ ଫୋନ୍ ରଖି ପ୍ରେସ୍ ଗ୍ୟାଲେରୀକୁ ଯିବା ପାଇଁ କୁହାଯାଇଥିଲା । ଯାହା ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ପ୍ରଶ୍ନକାଳକୁ ବୟକଟ୍ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗତକାଲି ବିଧାନସଭା ଭିତରେ ବିଧାୟକମାନଙ୍କର ମାରପିଟ୍ ହେବା ଭିଡିଓ ଭାଇରାଲ ହେଇଥିଲା । ଆଉ ଏହାପରେ ଆଜି ସାମ୍ବାଦିକଙ୍କ ଉପରେ ଲାଗିଛି କଟକଣା । ମଙ୍ଗଳବାର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହେଇଥିଲେ । ଏହାପରେ ଗୃହରେ ଆରମ୍ଭ ହେଇଯାଇଥିଲା ବିଧାୟକମାନଙ୍କର ଗଣ୍ଡଗୋଳ । ପରସ୍ପରକୁ ଧକ୍କା ଦେବା ସହିତ, ଗୃହରେ ହୋ ହଲ୍ଲା କରିଥିଲେ ବିଧାୟକ, ଯାହାର ଖବର ପ୍ରସାରଣ କରିଥିଲା ଗଣମାଧ୍ୟମ । ହେଲେ ଏହାପରେ ଆଜିର ଏ କଟକଣା ହେବା ଦ୍ୱାରା, ସାମ୍ବାଦିକମାନେ ପ୍ରଶ୍ନକାଳକୁ ବୟକଟ୍ କରିଛନ୍ତି । ଧାରଣାରେ ବସିଛନ୍ତି ସାମ୍ବାଦିକମାନେ।
