ଚୀନ ରାଷ୍ଟ୍ରପତିଙ୍କୁ ଭେଟିବେ ଜୋ ବାଇଡେନ
ଆଜି ପେରୁରେ ଚୀନ ରାଷ୍ଟ୍ରପତିଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହେବ ସାକ୍ଷାତ । ତେବେ ଏହି ସାକ୍ଷାତରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ହେବ ଆଲୋଚନା । ଗତ ୪ ବର୍ଷରେ ଦୁଇ ଦେଶ ମଧ୍ଯରେ ଘଟିଯାଇଥିବା ବିଭିନ୍ନ ଘଟଣାବଳୀ ଉପରେ ଦୁଇ ନେତା ଆଲୋକପାତ କରିବେ ବୋଲି ସୂଚନା ରହିଛି।ସୂଚନା ମୁତାବକ, ଆମେରିକାରେ କ୍ଷମତା ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହି ଆଲୋଚନା ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ବ ବହନ କରୁଛି । ପେରୁ ରାଜଧାନୀ ଲିମାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ ସମ୍ମିଳନୀ ଅବସରରେ ଦୁଇ ନେତା ପରସ୍ପରକୁ ଭେଟିବେ । ଆସନ୍ତା ଜାନୁଆରୀରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବାକୁ ଯାଉଥିବାବେଳେ ବାଇଡେନ- ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ଗୁରୁତ୍ବପୂର୍ଣ୍ଣ ହୋଇଛି । ବାଇଡେନ ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିବା ପରଠାରୁ ଜିନପିଙ୍ଗଙ୍କ ସହ ଆଲୋଚନା କ୍ଷେତ୍ରରେ ଏହା ତୃତୀୟ । ପୂର୍ବରୁ ଉଭୟ ୨୦୨୨ରେ ବାଲିରେ ଓ ୨୦୨୩ରେ କାଲିଫର୍ଣ୍ଣିଆରେ ପରସ୍ପରକୁ ଭେଟିଥିଲେ ।