ମହୁଆଙ୍କ ମୁହଁରେ କୁହାଉଛି ବିଜେଡି:ଟଙ୍କଧର ତ୍ରିପାଠୀ
ସାଂସଦ ମହୁଆ ମୈତ୍ରଙ୍କ ମନ୍ତବ୍ୟ ଉପରେ ଝାରସୁଗୁଡ଼ା ବିଧାୟକଙ୍କ ପ୍ରତିକ୍ରିୟା।ବିଜେଡି ଯାହା କହିପାରୁନି, ତାହା ନୂଆ ବୋହୂଙ୍କ ଜରିଆରେ କୁହାଉଛି। ଭାରତ ସରକାରଙ୍କ ନିର୍ଦ୍ଦେଶରେ ବାଂଲାଦେଶୀ ଯାଞ୍ଚ ପ୍ରକ୍ରିୟା ଚାଲିଛି। କାହାକୁ ଝାରସୁଗୁଡ଼ାରେ ଥାନା ଭିତରେ ରଖାଯାଇ ନାହିଁ କହିଛନ୍ତି ଟଙ୍କଧର ତ୍ରିପାଠୀ। ଯେଉଁମାନେ ଡକ୍ୟୁମେଣ୍ଟ ଦେଖାଉଛନ୍ତି ସେମାନଙ୍କୁ ଛାଡ଼ି ଦିଆଯାଉଛି। ଯେଉଁମାନେ ବୈଧ ଡକ୍ୟୁମେଣ୍ଟ ଦେଖାଇ ପାରିବେନି କାର୍ଯ୍ୟାନୁଷ୍ଠାନ ହେବ। ଭାରତ ଏକ ଧର୍ମଶାଳା ନୁହେଁ ଯେ, ଯିଏ ଯେମିତି ଆସିବେ ରହିବେ। ବେଆଇନ ଭାବେ ରହୁଥିବା ଲୋକଙ୍କ ଉପରେ ଅଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମହୁଆ ଯେଉଁ ଦଳ ନାମ ନେଇ ଏ କଥା କହିଛନ୍ତି ସେ ଦଳ ପ୍ରଥମେ ତାଙ୍କର ଷ୍ଟାଣ୍ଡ ସ୍ପଷ୍ଟ କରନ୍ତୁ।
ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି, ସେ ରାଜ୍ୟବାସୀଙ୍କ ସହ ଅଛନ୍ତି ନା ବେଆଇନରେ ବସବାସ କରୁଥିବା ବିଦେଶୀଙ୍କ ସହ ଅଛନ୍ତି। ସେଥିପାଇଁ ମହୁଆ ବିଜୁ ଜନତା ଦଳର ନାମ ନେଇ ବାଂଲାଦେଶୀଙ୍କୁ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ, ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ୪୨୧ ଜଣ ଶ୍ରମିକଙ୍କୁ ଅଟକ ରଖାଯିବାକୁ ନେଇ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି, ଏହି ଶ୍ରମିକମାନଙ୍କ ମଧ୍ୟରୁ ୨୩ ଜଣ ତାଙ୍କ ନିର୍ବାଚନ ମଣ୍ଡଳୀ କୃଷ୍ଣନଗରର ମିର୍ଜାପୁର ଗାଁର ବାସିନ୍ଦା। ଯେଉଁମାନେ ଆଧାରକାର୍ଡ ଭଳି ବୈଧ ପ୍ରମାଣପତ୍ର ରଖିଥିଲେ ମଧ୍ୟ ଓରିଏଣ୍ଟ ଥାନା ପୁଲିସ ଷ୍ଟେସନରେ ବେଆଇନ ଭାବେ ଅଟକ ରଖାଯାଇଛି।
