ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମିଳିଲା ଜ୍ଞାନପୀଠ ପୁରସ୍କାର

ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର

ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମିଳିଲା ଜ୍ଞାନପୀଠ ପୁରସ୍କାର। ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସ୍କୃତ ବିଦ୍ବାନ୍ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ସାହିତ୍ୟ କ୍ଷେତ୍ରରେ ଏହି ଅନ୍ୟତମ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି। ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ ଅବସରରେ ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କାଳଜୟୀ ପଙ୍‌କ୍ତି ଉଦ୍ଧାର କରିଛନ୍ତି। ରାଷ୍ଟ୍ରପତି ଗୋପବନ୍ଧୁଙ୍କ ଲିଖିତ ‘ଥିଲେ ଯହିଁ ତହିଁ ଭାରତ ବକ୍ଷରେ, ମଣିବି ମୁଁ ଅଛି ଆପଣା କକ୍ଷରେ, ମୋ ନେତ୍ରେ ଭାରତ-ଶିଳା ଶାଳଗ୍ରାମ, ପ୍ରତି ସ୍ଥାନ ମୋର ପ୍ରିୟ ପୁରୀ-ଧାମ’ ପଂକ୍ତିକୁ ଆବୃତ୍ତ କରିଥିଲେ। ରାଷ୍ଟ୍ରପତି କହିଥିଲେ ଭାରତର ସମସ୍ତ ଭାଷାର ସାହିତ୍ୟରେ ମାଟିର ମହକ ରହିଥାଏ। ଏଭଳି ଏକ ଅଖିଳ ଭାରତୀୟ ଚେତନାକୁ ବ୍ୟକ୍ତ କରି ସେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଉକ୍ତିକୁ ଆବୃତ୍ତି କରିଥିଲେ। ସମ୍ବୋଧନରେ ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ ମୁଁ  ଯେଉଁ  ପରିବେଶ‌ରେ ବଢ଼ିଛି ସେଠାରେ ଓଡ଼ିଆ ଓ ସାନ୍ତାଳୀ ଭାଷ‌ା ପ୍ରମୁଖ ରହିଛି।

୧୪୦ କୋଟି ଦେଶବାସୀ ମୋର ପରିବାର। ଦେଶର ସମସ୍ତ ଭାଷ‌ା ଓ ପ୍ରାନ୍ତୀୟ ଭାଷା ମୋର ନିଜର। ହେଲେ ଓଡ଼ିଆ ଓ ସାନ୍ତାଳୀ ଭାଷାର ସାହିତ୍ୟ ପ୍ରତି ମୋର ଅଧିକ ସଂପର୍କ ରହିଛି  ବୋଲି ସେ କହିଥିଲେ। ସମ୍ବୋଧନରେ ରାଷ୍ଟ୍ରପତି ଓଡ଼ିଶାର ଆଦିକବି ସାରଳା ଦାସଙ୍କ ମହାଭାରତ, ବଳରାମ ଦାସଙ୍କ  ଦାଣ୍ଡି ରାମାୟଣ ଏବଂ ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତ ପୁରାଣର ପ୍ରଭାବ ମୋ ଉପରେ ଅଧିକ ରହିଛି ବୋଲି କହିଥିଲେ। ସେହିଭଳି ସାନ୍ତାଳୀ ଭାଷାରେ ରଘୁନାଥ ମୁର୍ମୁଙ୍କର ବିଦ୍ଦୁଚାନ୍ଦନ  ତଥା ଖେରୱାର୍ଡ ବୀର ନାମକ ନାଟକର ଜନମାନସରେ ବହୁତ ପ୍ରଭାବ ଦେଖାଯାଇଥାଏ  ବୋଲି ରାଷ୍ଟ୍ରପତି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ସାହିତ୍ୟ ଆମ ଭାବନାର ନିର୍ମାଣ କରିଥାଏ। ଉଲ୍ଲେଖଯୋଗ୍ୟ ଆଜି ରାଷ୍ଟ୍ରପତି ‌ମୁର୍ମୁ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ସଂସ୍କୃତ ବିଦ୍ବାନ୍‌ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରିଥିଲେ।