ସରିଗଲା ବିଧାନସଭା ଶୀତ ଅଧିବେଶନ

୨୬ ଦିନ ଚାଲିଥାନ୍ତା, ୪ଦିନରେ ବନ୍ଦ କରିଦେଲେ ବିଧାନସଭା

୨୬ଟି କାର୍ଯ୍ୟଦିବସ ଥାଇ ବି ଅଚାନକ ବିଧାନସଭାର ଶୀତ ଅଧିବେଶନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଶାସକ ଦଳର ପ୍ରସ୍ତାବ ଆଧାରରେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି । ନଭେମ୍ବର ୨୧ରୁ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବିଧାନସଭାର ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଥିଲା । ମାତ୍ର ୪ଟି କାର୍ଯ୍ୟଦିବସରେ ଗୃହକୁ ବନ୍ଦ କରିଦେଲେ ସରକାର । ଚଳିତ କ୍ୟାଲେଣ୍ଡର ବର୍ଷରେ ୩ଟି ପର୍ଯ୍ୟାୟରେ ବିଧାନସଭାର ଅଧିବେଶନ ମୋଟ ୩୪ଦିନ ବସିଛି । ଯଦିଓ କ୍ୟାଲେଣ୍ଡର ବର୍ଷରେ ୬୦ଦିନ ବସିବାର ବ୍ୟବସ୍ଥା ରହିଛି । ଗୃହରେ ବିଶେଷ କିଛି କାର୍ଯ୍ୟ ନଥିବା ଦର୍ଶାଇ ଶୀତ ଅଧିବେଶନକୁ ମାସେ ୬ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ଶାସକ ଦଳ ପ୍ରସ୍ତାବ ଦେଇଥିଲା । ବିରୋଧୀଙ୍କ ସହ ବିଚାରବିମର୍ଶ ନକରି ଶାସକ ଦଳ ଏକତରଫା ଭାବେ ଗୃହକୁ ବନ୍ଦ କରିଦେଇଛି ବୋଲି ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଗୃହରେ ପୂର୍ବାହ୍ନରେ ପ୍ରଶ୍ନକାଳ ସ୍ୱାଭାବିକ ଥିଲା । ବିଜେପି ଦେଇଥିବା ମୁଲତବୀ ପ୍ରସ୍ତାବ ‘ସରକାର ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ନକଲେ ରାଜ୍ୟରେ ଆଦିବାସୀମାନେ ସର୍ବହରା ହୋଇଯିବେ’ ଶୀର୍ଷକ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗରେ କ୍ୟାବିନେଟ୍ ନଭେମ୍ବର ୧୪ତାରିଖରେ ନେଇଥିବା ନିଷ୍ପତ୍ତିକୁ ସଂଶୋଧନ କରାଯିବା ସମ୍ପର୍କରେ ଗୃହକୁ ଅବଗତ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ବିଧାୟକମାନେ ନିଜ ନିଜ ଅଂଚଳର ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।