ଗାଜା ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଗାଜା ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ: ୪୦୦ରୁ ଅଧିକ ମୃତ

ଗାଜା ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ। ଏହି ଆକ୍ରମଣ‌ରେ ୪୧୩ ଜଣଙ୍କର ମୃତ୍ୟୁ ହୋଇଛି। ଜାନୁଆରି ୧୯ ତାରିଖରେ  ଯୁଦ୍ଧବିରତି ହେବା ପରଠାରୁ  ଏହା ଇସ୍ରାଏଲ ଦ୍ବାରା ଗାଜା ଉପରେ ପ୍ରଥମ ଆକ୍ରମଣ। ଏସଂକ୍ରାନ୍ତରେ ସ୍ପଷ୍ଟ କରି ଗାଜା କହିଛି ଯେ ରମଜାନ ମାସରେ ଇସ୍ରାଏଲ କରିଥିବା ଆକ୍ରମଣରେ ଶିଶୁ, ମହିଳା ଏବଂ ବୟସ୍କଙ୍କ ସମେତ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆକ୍ରମଣରେ ୧୫୦ ଜଣ ଆହତ ହୋଇଛନ୍ତି। କେନ୍ଦ୍ରୀୟ ଏବଂ ଦକ୍ଷିଣ ଗାଜା ଷ୍ଟ୍ରିପ୍‌ରେ ଗାଜା, ଗାଜା ସିଟି ଏବଂ ଦେର ଅଲ୍‌ ବଲା, ଖାନ୍‌ ୟୁନିସ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିଛି। ହମାସ ପୁଲିସ ମୁଖ୍ୟ ମହମୁଦ ଅବୁ ୱାତଫାର ଏହି ଆକ୍ରମଣରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ଏକ୍ସରେ ଏକ ପୋଷ୍ଟ୍‌ କରି କହିଛି ଯେ ଏହା ଗାଜା ଷ୍ଟ୍ରିପ୍‌ରେ ହମାସ ଆତଙ୍କବାଦୀ ଗୋଷ୍ଠୀକୁ ଟାର୍ଗେଟ୍‌ କରି ଭୟଙ୍କର ଆକ୍ରମଣ କରିଛି। ଇସ୍ରାଏଲ ମଧ୍ୟ ଗାଜା‌ ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ସମସ୍ତ ସ୍କୁଲ୍‌ ଛୁଟି‌ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅଫିସ୍‌ ପକ୍ଷରୁ କୁହାଯାଇଛି ଯେ ହମାସ ଆମ ପଣବନ୍ଦୀଙ୍କୁ ଛାଡ଼ିବା ପାଇଁ ଲଗାତାର ଭାବେ ମନା କରିବାପରେ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ପ୍ରତିନିଧି ଷ୍ଟିଭ୍ ୱିଟକଫ୍‌ ଓ ଅନ୍ୟ ମଧ୍ୟସ୍ଥିଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବା ପରେ ଏହି ଆକ୍ରମଣ କରାଯାଇଛି।  ହମାସ ବିରୋଧରେ ଇସ୍ରାଏଲ ଆଗକୁ ଅଧିକ ସାମରିକ ସାମର୍ଥ୍ୟ ସହ ଲଢ଼େଇ କରିବ ବୋଲି ଆଇଡିଏଫ୍‌ କହିଛି।