ରଥରେ ସୁଖୋଇ ବିମାନ ଚକ

ରଥରେ ସୁଖୋଇ ବିମାନ ଚକ, ତେଜିଲା ବିବାଦ

ରଥଯାତ୍ରାର ବିଧି ପରମ୍ପରାକୁ ଜଳାଞ୍ଜଳି ଦେଇ ମନମାନି ଚଳାଇଛି ଇସ୍କନ୍‌। ଏଥର ଅଦିନିଆ ରଥଯାତ୍ରା ନୁହେଁ, ରଥରେ ବିମାନ ଚକ ଲଗାଇ ଆଉ ଏକ ବିବାଦର ସୂତ୍ରପାତ କରିଛି। ଏନେଇ ଜଗନ୍ନାଥପ୍ରେମୀ କ୍ଷୋଭ ଝାଡ଼ିଛନ୍ତି। କୋଲକାତା ଇସ୍କନ୍‌ ରଥରେ କାଠ ନିର୍ମିତ ଚକ ପରିବର୍ତ୍ତେ ଋଷୀୟ ଲଢ଼ୁଆ ବିମାନ ସୁଖୋଇର ଟାୟାର ସଂଯୋଗ କରିଛି। ୪ ଫୁଟ ବ୍ୟାସ ବିଶିଷ୍ଟ ଏହି ଟାୟାରର ଓଜନ ପ୍ରାୟ ୧୧୦ କେଜି। ପୂର୍ବରୁ ଇସ୍କନ୍ ରଥରେ ବୋଇଂ ୭୪୭ର ଟାୟାର ଲଗାଉଥିବା ବେଳେ ଏବେ ସୁଖୋଇ ବିମାନ ଟାୟାର ଲଗାଇଛି। ଯାହା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ମୂଳ ପୀଠ ଶ୍ରୀକ୍ଷେତ୍ରର ରଥଯାତ୍ରା ବିଧି ପରମ୍ପରାକୁ ଅନୁକରଣ ନକରି ନିଜ ସୁବିଧା ଅନୁସାରେ ଏବଂ ଚର୍ଚ୍ଚାକୁ ଆସିବା ଉଦ୍ଦେଶ୍ୟରେ ରଥରେ ବିମାନ ଟାୟାର ସଂଯୋଗ କରିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।