ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ ‘ଇରିସ୍ ଦେନା’, ୧୦୧ ନିଖୋଜ, ୭୮ ଆହତ
ଶ୍ରୀଲଙ୍କା ସମୁଦ୍ରରେ ଇରାନ ଯୁଦ୍ଧ ଜାହାଜ ଉପରେ ସବ୍ ମେରିନ୍ ଆକ୍ରମଣରେ ୧୦୧ ନୌସୈନିକ ନିଖୋଜ ଓ ୭୮ ଆହତ । ସବ୍ ମେରିନ୍ ମାଡ଼ରେ ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ ‘ଇରିସ୍ ଦେନା ‘। ୧୦୦ରୁ ଅଧିକ ସୈନିକ ନିଖୋଜ । ଶ୍ରୀଲଙ୍କା ଉପକୂଳରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ । ତେବେ କିଏ ଇରାନର ଶକ୍ତିଶାଳୀ ଜାହାଜ ଉପରେ ଆକ୍ରମଣ କଲା? ତାହା ସ୍ପଷ୍ଟ ହୋଇ ନାହିଁ ।ବୁଧବାର ସକାଳେ ଭାରତ ମହାସାଗରରେ ଏକ ବଡ଼ ଧରଣର ସାମରିକ ଆକ୍ରମଣ ଘଟିଥିଲା । ଇରାନ ନୌସେନାର ଅତ୍ୟାଧୁନିକ ଯୁଦ୍ଧ ଜାହାଜ ‘ଇରିସ୍ ଦେନା’ ଉପରେ ଏକ ସବ୍ ମେରିନ୍ ଆକ୍ରମଣ ହୋଇଥିବା ରିପୋର୍ଟ ମିଳିଛି । ଏହି ଘଟଣା ଶ୍ରୀଲଙ୍କାର ଗାଲେ ବନ୍ଦରଠାରୁ ପ୍ରାୟ ୭୪ କିଲୋମିଟର ଦୂରରେ ଘଟିଛି ।ଏହି ଆକ୍ରମଣରେ ଜାହାଜରେ ଥିବା ପ୍ରାୟ ୧୮୦ ଜଣ ନୌସୈନିକଙ୍କ ମଧ୍ୟରୁ ୧୦୧ ଜଣ ନିଖୋଜ ଅଛନ୍ତି । ୭୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଜାହାଜଟି ବହୁତ ଶୀଘ୍ର ସମୁଦ୍ରରେ ବୁଡ଼ି ଯାଇଥିଲା । ସକାଳ ପ୍ରାୟ ୫ଟା ସମୟରେ ବିପଦ ସଙ୍କେତ ମିଳିବା ପରେ ଶ୍ରୀଲଙ୍କା ନୌସେନା ଏବଂ ବାୟୁସେନା ତୁରନ୍ତ ରେସକ୍ୟୁ ଅପରେସନ୍ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ପ୍ରାୟ ୩୦ରୁ ୩୨ ଜଣଙ୍କୁ ଉଦ୍ଧାର କରାଯାଇ ଗାଲେର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଆମେରିକା ପକ୍ଷରୁ ଦାବି କରାଯାଇଛି ଯେ, ସେମାନେ ଇରାନର ପ୍ରାୟ ୧୭ଟି ଜାହାଜ ଓ ସବ୍ ମେରିନକୁ ଧ୍ୱଂସ କରିସାରିଲେଣି । ଶ୍ରୀଲଙ୍କା ଏହି ଯୁଦ୍ଧରେ ନିରପେକ୍ଷ ଥିଲେ ମଧ୍ୟ ମାନବିକତା ଦୃଷ୍ଟିରୁ ଇରାନର ସୈନିକମାନଙ୍କୁ ସାହାଯ୍ୟ କରିଛି । ବର୍ତ୍ତମାନ ସମୁଦ୍ର ମଝିରେ ନିଖୋଜ ସୈନିକମାନଙ୍କୁ ଖୋଜାଖୋଜି ଜାରି ରହିଛି, ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।
