ଡିଏସ କୁଟ୍ଟେଙ୍କୁ ଓଏସଡି ଭାବେ ନିଯୁକ୍ତି
କ୍ଷମତାଚ୍ୟୁତ ହେଲେ ପ୍ରଭାବଶାଳୀ ଆଇପିଏସ ଡିଏସ କୁଟ୍ଟେ । ତୃତୀୟ ମହଲାରୁ ଏବେ ଦ୍ୱିତୀୟ ମହଲାରେ କରିବେ କାମ । ଗୃହ ବିଭାଗର ଓଏସଡି ଭାବେ ମିଳିଲା ନିଯୁକ୍ତି । ନିଲମ୍ବନ ହଟାଇବା ପରେ ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ନିର୍ବାଚନ ବେଳେ ତାଙ୍କ ବିରୋଧରେ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ ଆସିଥିଲା । ଏହାପରେ ନିର୍ବାଚନ କମିଶନ ତାଙ୍କୁ ନିଲମ୍ୱିତ କରିଥିଲେ । ନୂଆଦିଲ୍ଲୀ ସ୍ଥିତ ଆବାସିକ କମିଶନଙ୍କ କାର୍ୟ୍ୟାଳୟରେ ତାଙ୍କୁ ଯୋଗଦେବାକୁ କୁହାଯାଇଥିଲା । କୁଟ୍ଟେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଥିଲେ । ତକାଳୀନ ସରକାରରେ ସେ ବେଶ କ୍ଷମତାଶାଳୀ ଥିଲେ । ପୂର୍ବରୁ ତାଙ୍କ ଉପରୁ ସର୍ତ୍ତମୂଳକ ଭାବେ ନିଲମ୍ୱନ ହଟାଇବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ମେ ୨୮ ତାରିଖ ନିର୍ଦ୍ଦେଶରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଜାରି ରଖିବାକୁ କମିଶନ କହିଥିଲେ । ଏହାପରେ କୁଟ୍ଟେଙ୍କ ଉପରୁ ନିଲମ୍ୱନ ହଟିଛି । ତେବେ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଜାରି ରହିବ।
()ସେହିପରି ଆଇପିଏସ ରବିକାନ୍ତଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କୁ ନୂଆଦିଲ୍ଲୀସ୍ଥ ଆବାସିକ କମିଶନର ପଦବୀରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ସେହିପରି ୧୯୯୮ ବ୍ୟାଚ୍ ଆଇଏଏସ୍ ବିଶାଳ ଗଗନଙ୍କୁ ନୂଆ ଆବାସିକ କମିଶନର ଭାବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି। ଆଇପିଏସ୍ ରବିକାନ୍ତ ଦୀର୍ଘବର୍ଷ ଧରି ଦିଲ୍ଲୀରେ ଡେପୁଟେସନରେ ଅଛନ୍ତି। କେନ୍ଦ୍ରୀୟ ଡେପୁଟେସନ ସମାପ୍ତ ହେବାପରେ ତାଙ୍କୁ ବିଜେଡି ସରକାର ଆବାସିକ କମିଶନର ଭାବେ ଅବସ୍ଥାପିତ କରିଥିଲା ।
ଗୃହ ବିଭାଗରେ ବଢିବାରେ ଲାଗିଛି ଅଫିସର ଅନ ସ୍ପେସିଆଲ ଡ୍ୟୁଟି ବା ଓଏସ୍ଡିଙ୍କ ସଂଖ୍ୟା । କାମ ନକରି ବି ଦରମା ନେଉଛନ୍ତି ୩ ଆଇପିଏସ ଅଧିକାରୀ । ଏମିତି କି ଡିଜି ଏବଂ ଅତିରିକ୍ତ ଡିଜି ପାହ୍ୟାରେ ରହି ବି ଓଏସ୍ଡି ଭାବେ ସରକାର ସେମାନଙ୍କୁ ଅବସ୍ଥାପିତ କରିଛନ୍ତି । ନିକଟରେ ଆଇପିଏସ ଆଶିଷ ସିଂଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି । ଅନ୍ୟପକ୍ଷରେ ପୂର୍ବ ସରକାରରେ ମଧ୍ୟ ୮୯ ବ୍ୟାଚର ଡିଜି ରାଙ୍କର ଆଇପିଏସ ଅଧିକାରୀ ଏସଏମ ନରୱଣେ ଏବଂ ଅତିରିକ୍ତ ଡିଜି ପାହ୍ୟାରେ ଥିବା ୯୫ ବ୍ୟାଚର ଆଇପିଏସ ରୀତୁ ଆରୋରାଙ୍କୁ ମଧ୍ୟ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ କରିଥିଲେ।