ନିର୍ବାଚନ କମିଶନଙ୍କ ବଡ଼ ଆକ୍ସନ

ଡିଏସ କୁଟ୍ଟେଙ୍କୁ ସସପେଣ୍ଡ, ୩ଟା ସୁଦ୍ଧା ଦିଲ୍ଲୀରେ ହାଜର ନିର୍ଦ୍ଦେଶ

ନିର୍ବାଚନ କମିଶନଙ୍କ ବଡ଼ ଆକ୍ସନ। ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଇସିଆଇ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ନିର୍ବାଚନ କମିଶନ। କୁଟ୍ଟେ, ବର୍ତ୍ତମାନ ସିଏମଓରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ୟ୍ୟ କରୁଥିଲେ। ସସପେଣ୍ଡ କାଳରେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ କାର୍ୟ୍ୟ କରିବେ କୁଟ୍ଟେ। କାଲି ଦିନ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୁଟ୍ଟେଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ମୁଖ୍ୟ ସଚିବଙ୍କୁ ଦେବାକୁ ସିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରେ ମୁଖ୍ୟ ସଚିବ ଅଭିଯୋଗ ଫର୍ଦ୍ଦକୁ ମେ ୩୦ ଅପରାହ୍ନ ୫ଟା ପୂର୍ବରୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ।ଆଉ ଏକ କାର୍ୟ୍ୟାନୁଷ୍ଠାନ ସ୍ୱରୁପ ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ମେ ୪ରୁ ମେଡିକାଲ ଲିଭରେ ଅଛନ୍ତି ଆଶିଷ ସିଂ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ୍ ପାଇଁ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ। ଏଥିପାଇଁ ମେ ୩୦ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ହେବାକୁ ଆଶିଷ ସିଂଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ରିପୋର୍ଟ ମେ ୩୧ ସୁଦ୍ଧା ଇସିଆଇଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପୂର୍ବରୁ ଏହି ଆଇପିଏସ ଅଧିକାରୀ ଡି.ଏସ୍. କୁଟ୍ଟେଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି । କୁଟ୍ଟେଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ସିଇଓଙ୍କୁ ଅଭିଯୋଗ କରିଥିଲା ବିଜେପିର ଏକ ଟିମ୍ । କୁଟ୍ଟେଙ୍କୁ ନିର୍ବାଚନ କାର୍ୟ୍ୟରେ ନ ଲଗାଇବାକୁ ଇସିଆଇ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।